ମୁରିବାହାଲ ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ; ମହିଳା ଓ ଶିଶୁଙ୍କୁ ପଢ଼ାଗଲା ସାଇବର ସୁରକ୍ଷା ଓ ପୋଲିସ ବନ୍ଧୁତ୍ୱର ପାଠ ।
ବଲାଙ୍ଗୀର, ୮। ୫ : ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସରେ ଆଜି ମୁରିବାହାଲ ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “JUVENTIKA” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରୀମାନେ ସେମାନଙ୍କ ଶିକ୍ଷୟିତ୍ରୀ ତଥା ଦିଦି ମାନଙ୍କ ସହ ଉତ୍ସାହର ସହ ଯୋଗ ଦେଇଥିଲେ।
ସମାଜରେ ମହିଳା ଓ ଶିଶୁମାନେ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ଏବଂ ବିଶେଷ କରି ବଢ଼ୁଥିବା ସାଇବର ଅପରାଧରୁ ସେମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ, ସେ ନେଇ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରି ଶିଶୁ ଓ ମହିଳାମାନେ କିପରି ନିର୍ଭୟରେ ଥାନାକୁ ଆସି ପୋଲିସ ସହ ନିଜର ସମସ୍ୟା ବାଣ୍ଟିପାରିବେ, ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ। ସେ ମହିଳା ଓ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଉପସ୍ଥିତ ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ଛାତ୍ରୀମାନଙ୍କୁ ଭିଡିଓ ମାଧ୍ୟମରେ ବିଭିନ୍ନ ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ଦୁନିଆର ବିପଦ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା। ଥାନା କିପରି କାର୍ଯ୍ୟ କରେ, ସେ ବିଷୟରେ ଜାଣିବା ପାଇଁ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଥାନା ପରିସର ବୁଲାଇ ଦେଖାଯାଇଥିଲା।
ଏହି ଅବସରରେ ବଲାଙ୍ଗୀର ସାଇବର ଥାନାର ଆଇଆଇସି (IIC) ଯୋଗଦେଇ ବର୍ତ୍ତମାନ ସମୟରେ ହେଉଥିବା ସାଇବର କ୍ରାଇମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ବ୍ୟବହାର ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏବଂ କୌଣସି ଅପରାଧର ଶିକାର ହେଲେ ତୁରନ୍ତ କିପରି ପଦକ୍ଷେପ ନେବାକୁ ହେବ, ସେ ନେଇ ସେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ।
ମୁରିବାହାଲ ପୋଲିସର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।

