ଟିଟିଲାଗଡ: ବାଲ୍ଟି ଭିତରେ ନାଗ ସାପ, ଅଳ୍ପକେ ରକ୍ଷା ପାଇଲେ ଯୁବତୀ
ବଲାଙ୍ଗୀର,୨୪।୫: ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଅଞ୍ଚଳରେ ସାପ ମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଟିଟିଲାଗଡ଼ ବ୍ଲକ୍ ଚାମରପଡ଼ା ଗ୍ରାମରୁ ଏକ ଚାଞ୍ଚଲ୍ୟକର ତଥା ସତର୍କ କଲାଭଳି ଘଟଣା ସାମ୍ନାକୁ ଆସିଛି। ଗାଧୋଇବାକୁ ଯାଉଥିବା ସମୟରେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ୧୯ ବର୍ଷୀୟ ଜଣେ ଯୁବତୀ।
ସୂଚନା ଅନୁଯାୟୀ, ଚାମରପଡ଼ା ଗ୍ରାମର ଉକ୍ତ ଯୁବତୀ ଜଣକ ସକାଳ ସମୟରେ ଗାଧୋଇବା ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଘରେ ରଖାଯାଇଥିବା ଲୁଗାପଟା ବାଲ୍ଟି ଭିତରେ ଯେ ଏକ ବିଷଧର ନାଗ ସାପ ଆଶ୍ରୟ ନେଇଛି, ସେ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଯେମିତି ହିଁ ସେ କପଡ଼ା କାଢ଼ିବା ପାଇଁ ବାଲ୍ଟିଟିକୁ ଛୁଇଁଛନ୍ତି, ହଠାତ୍ ତା’ ଭିତରୁ ଏକ ବିଷଧର ନାଗ ସାପ ଗର୍ଜନ କରି ଫଣା ଟେକି ବାହାରି ଆସିଥିଲା।
ସାପଟିକୁ ହଠାତ୍ ସମ୍ମୁଖରେ ଦେଖି ଯୁବତୀ ଜଣକ ଆତଙ୍କିତ ହୋଇପଡ଼ିଥିଲେ ମଧ୍ୟ ସଠିକ୍ ସମୟରେ ସେଠାରୁ ଦୂରେଇ ଯାଇଥିଲେ। ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଓ ଭାଗ୍ୟ ବଳରୁ ଏକ ବଡ଼ ଧରଣର ଅଘଟଣ ଏଡ଼ାଇ ଯାଇଛି। ପରେ ଏନେଇ ଟିଟିଲାଗଡ଼ର ଜଣାଶୁଣା ସାପ ଧରାଳୀ କାହ୍ନୁ ପ୍ରଧାନଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଖବର ପାଇ କାହ୍ନୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅତି ସନ୍ତର୍ପଣରେ ବାଲ୍ଟି ଭିତରୁ ନାଗ ସାପଟିକୁ ଉଦ୍ଧାର କରି ସାପଟିକୁ ସୁରକ୍ଷିତ ଭାବେ ‘ଝାରବନ୍ଧ’ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

