ମୁରିବାହାଲରେ ମହା ସମାରୋହରେ ଚାଲିଛି ଶାରଦୀୟ ଦୁର୍ଗୋତ୍ସବ: ସପ୍ତମୀ ତିଥିରେ ଚଳଚଞ୍ଚଳ ସାର୍ବଜନୀନ ଓ ଜମିଦାର ପଡ଼ା ମଣ୍ଡପ ।
ବଲାଙ୍ଗୀର, ୧୭।୧୦: ପବିତ୍ର ଶାରଦୀୟ ଦୁର୍ଗୋତ୍ସବର ସପ୍ତମୀ ତିଥିରେ ଆଜି ପୂରା ମୁରିବାହାଲ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଜି ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସମଗ୍ର ଅଞ୍ଚଳ ଏକ ଭକ୍ତିରସାତ୍ମକ, ଆଧ୍ୟାତ୍ମିକ ଓ ଆନନ୍ଦମୁଖର ପରିବେଶରେ କମ୍ପୁଛି।
ସ୍ଥାନୀୟ ୫୫ତମ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଆଜି ମା’ଙ୍କ ସପ୍ତମୀ ପୂଜା ଅତ୍ୟନ୍ତ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ପୂଜାର ଅଙ୍କୁରୋଦ୍ଘାଟନ ସ୍ୱରୂପ ଗତକାଲି ଅପରାହ୍ନ ୪:୦୦ ଟାରେ ପୂଜା ମଣ୍ଡପରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ର, ଘଣ୍ଟ, କାହାଳୀ ଏବଂ କୀର୍ତ୍ତନ ଦଳର ସ୍ୱରରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ପୂଜା କମିଟିର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ କଳସ ଧରି ଶଙ୍ଖୁରୀ ବନ୍ଧ ନିକଟରେ ପହଞ୍ଚିଥିଲେ। ସେଠାରେ ବେଦ ମନ୍ତ୍ରୋଚ୍ଚାରଣ ଓ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ପବିତ୍ର ଜଳପୂର୍ଣ୍ଣ କଳସ ଧରି ସମସ୍ତେ ମଣ୍ଡପକୁ ଫେରିଥିଲେ ଏବଂ ଶାସ୍ତ୍ରୀୟ ବିଧି ଅନୁଯାୟୀ କଳସ ସ୍ଥାପନ କରାଯାଇଥିଲା।
ଶାସ୍ତ୍ରୀୟ ନୀତିକାନ୍ତି ଅନୁସାରେ ମା’ଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଇ ସମଗ୍ର ଅଞ୍ଚଳର ମଙ୍ଗଳ କାମନା କରାଯାଇଛି। ଆସନ୍ତା ଦଶମୀ ତିଥି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଜାରି ରହିବ। ପୂଜା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପୂଜାକୁ ସୁଚାରୁରୂପେ ପରିଚାଳନା କରୁଥିବା କମିଟିର କର୍ମକର୍ତ୍ତାମାନେ ହେଲେ ଅଜିତ୍ କୁମାର ତରିଆ ସଭାପତି, ଅବିନାଶ ଭୋଇ ଉପ-ସଭାପତି, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହ-ସମ୍ପାଦକ ଲଳିତ କୁମାର ବଘାର ଏବଂ ଜିତେଶ୍ ସେଠ୍ ସେହିପରି ସ୍ଥାନୀୟ ଜମିଦାର ପଡ଼ା (ଭୋଇ ପଡ଼ା) ରେ ଚଳିତ ବର୍ଷ ୨୭ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଗତକାଲି ଏଠାରେ କଳସ ଯାତ୍ରା ଏବଂ ଅଧିବାସ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ସମ୍ପୃକ୍ତ ପୂଜା ମଣ୍ଡପରେ ମା’ଙ୍କ ସପ୍ତମୀ ପୂଜା ବିଧିବଦ୍ଧ ଭାବେ କରାଯାଇଛି। ଏହି ପୂଜା ପରିଚାଳନାରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି ସଭାପତି ଅନୀଲ ଭୋଇ, ଉପସଭାପତି ଗୋବିନ୍ଦ ଭୋଇ, ସମ୍ପାଦକ ଦୁର୍ବାଦଳ ଭୋଇ, ସହ/ଯୁଗ୍ମ ସମ୍ପାଦକ ପିଙ୍କୁ ଭୋଇ, କୋଷାଧ୍ୟକ୍ଷ (କ୍ୟାସିଅର) ରିକ୍ତମ୍ ଭୋଇ ଓ ଦେବାର୍ଚ୍ଚନ ଭୋଇ ପୂଜକ କାଶୀ ଦାସ ଏବଂ କର୍ତ୍ତା ବିଷ୍ଣୁ ପ୍ରସାଦ ଭୋଇ ଏବଂ ତାଙ୍କ ପତ୍ନୀ ଶଲ୍ୟସୂତା ଭୋଇ ପ୍ରମୁଖ ପୂଜା ଦାୟିତ୍ଵ ତୁଲାଉଛନ୍ତି । ଉଭୟ ପୂଜା ମଣ୍ଡପରେ ମା’ଙ୍କ ଆରାଧନା ଯୋଗୁଁ ସାରା ମୁରିବାହାଲ ଅଞ୍ଚଳରେ ଏକ ଭକ୍ତିପୂତ ଓ ଉତ୍ସବମୁଖର ମାହୋଲ ଦେଖିବାକୁ ମିଳିଛି।

