ଭିମସାରରେ ବାରମ୍ବାର ଅଘଟଣ, ସରକାରୀ ବିଫଳତା ବିରୋଧରେ ତାତିଲା ସ୍ୱର
ସମ୍ବଲପୁର : ବୁର୍ଲାସ୍ଥିତ ଭିମସାରରେ ବାରମ୍ବାର ଘଟୁଥିବା ଚିକିତ୍ସାଜନିତ ଅଘଟଣ, ଅବହେଳା ଓ ରୋଗୀ ସୁରକ୍ଷାକୁ ନେଇ ବଢୁଥିବା ଜନଅସନ୍ତୋଷ ମଧ୍ୟରେ ଆଜି ପ୍ରୋଗ୍ରେସିବ ସମ୍ବଲପୁର ଆବାହକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ସଂକେତ ସାହୁଙ୍କୁ ନ୍ୟାୟ ଓ ଭିମସାରରେ ଘଟୁଥିବା ଘଟଣାର ନିଷ୍ପକ୍ଷ ତଦନ୍ତ ଦାବି କରିଛି। ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ମୃତ ସଂକେତ ସାହୁଙ୍କ ମାଆ, ଭଉଣୀ ଓ ଭାଇ ଉପସ୍ଥିତ ରହି ଭିମସାରରେ ହୋଇଥିବା କଥିତ ଚିକିତ୍ସାଜନିତ ଅବହେଳା ବିରୋଧରେ ନ୍ୟାୟ ଦାବି କରିଥିଲେ।
ସଂକେତ ସାହୁ ଗତ ୧୨ ଦିନ ଧରି ମୃତ୍ୟୁ ସହ ସଂଘର୍ଷ ପରେ ମୃତ୍ୟୁବରଣ କରିଥିବା ବେଳେ, ଏହି ଘଟଣା ପରେ ଭିମସାରର ଚିକିତ୍ସା ବ୍ୟବସ୍ଥା, ରୋଗୀ ସୁରକ୍ଷା ଓ ଉତ୍ତରଦାୟୀତ୍ୱକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ଗତ କିଛି ସପ୍ତାହ ମଧ୍ୟରେ ଛୋଟ ଅପରେସନ ପାଇଁ ଆସିଥିବା ରୋଗୀଙ୍କ ଲିଭର, କିଡନୀ ଓ ଫୁସଫୁସ ଭଳି ଅନ୍ତର୍ନିହିତ ଅଙ୍ଗ କ୍ଷତିଗ୍ରସ୍ତ ହେବା ଅଭିଯୋଗ, ମୃତ୍ୟୁ ଓ ଗୁରୁତର ରୋଗୀଙ୍କୁ ବେସରକାରୀ ଆଇସିୟୁକୁ ସ୍ଥାନାନ୍ତର ଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି। ଏହା ସହ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଅଳ୍ପ ସମୟ ମଧ୍ୟରେ ୭ ଜଣ ମା’ଙ୍କ ମୃତ୍ୟୁ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମନରେ ଗଭୀର ଅବିଶ୍ୱାସ ସୃଷ୍ଟି କରିଛି।
ପ୍ରତିନିଧି ଦଳ କହିଛି ଯେ, ପଶ୍ଚିମ ଓଡିଶାର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଭିମସାରରେ ଡାକ୍ତର ଅଭାବ, ଖାଲି ବିଶେଷଜ୍ଞ ପଦବୀ, ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅବ୍ୟବସ୍ଥିତ ପ୍ରଶାସନ ସତ୍ତ୍ୱେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଚିନ୍ତାଜନକ।
ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ସଂକେତ ସାହୁଙ୍କୁ ନ୍ୟାୟ, ଘଟଣାର ସ୍ୱଚ୍ଛ ଓ ନିଷ୍ପକ୍ଷ ତଦନ୍ତ, ଭିମସାର ବାହାରର ବରିଷ୍ଠ ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ, ଅବହେଳା କିମ୍ବା ତ୍ରୁଟି ଥିଲେ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଖାଲି ଡାକ୍ତର ପଦବୀ ପୂରଣ ଓ ରୋଗୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦାବି କରାଯାଇଛି।
ଆଜିର ଏହି ପ୍ରୋଗ୍ରେସିଭ ସମ୍ବଲପୁର ପ୍ରତିନିଧି ମଣ୍ଡଳୀରେ ଆବାହକ ସଂଜିତ ମହାନ୍ତି, ରାଜ୍ୟ ଏଚ.ଏମ.ଏସ ଉପ-ସାଧାରଣ ସମ୍ପାଦକ ଗୋକୁଳ ମେହେର, ଏ.ଆଇ.ଟି.ୟୁ.ସି ଜିଲ୍ଲା ସାଧାରଣ ସମ୍ପାଦକ ନର୍ଟୁ ଗୋପାଳ, ଚାଷୀ ନେତା ସରୋଜ ମହାନ୍ତି, ରୋଟାରି କ୍ଲବ ବୀରଭୂମି ସଭାପତି ଅଲେଖିକା ପାଣି, ମହମ୍ମଦ ସନାଉଲ୍ଲା, ମନୋଜ ମହାପାତ୍ର, ପ୍ରଦୋଷ ମହାନ୍ତି ( ଝୁପ୍ନା), ସୁମିତ କୁମାର ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ଚୁମନ କୁମାର ପ୍ରଧାନ, ମହମ୍ମଦ ଜାଫର ଖାନ, ସୁକେସ ସିଂ ମହମ୍ମଦ ସନାଉଲ୍ଲା, ଅଶୋକ ପଟେଲ, ପ୍ରଶାନ୍ତ ଥାପା, ଦୁଲାଲ ଚନ୍ଦ୍ର ରାୟ, ମହମ୍ମଦ ଈଶାକ, ଶୁଭମ ସାହୁ, ଅବୁଲ ହାସନ୍ ପ୍ରଭାତ କୁମାର ସାହୁ, ଶିବୁ ସେଠ, ଚନ୍ଦନ ବାଗ, ଚିରଞ୍ଜିବି ପ୍ରଧାନ, ଆର୍ଯ୍ୟନ ନାୟକ, ମନିଷ ସେନାପତି, ଓମ ପ୍ରକାଶ ନାୟକ, ଶେଖ୍ ହୁସେନ ଶାହରୁଖ୍ ଖାଁ, ଆକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପ୍ରତିନିଧି ମଣ୍ଡଳୀରେ ସଙ୍କେତ ସାହୁଙ୍କ ମା କାଜଲ ସାହୁ, ଭଉଣୀ ସିଲୋଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ରହି ନ୍ୟାୟ ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

