୧୦ରେ ଛାତ୍ରସମାବେଶ,ନିଟ ପ୍ରଶ୍ନପତ୍ର ପ୍ରଘଟ ନେଇ ଆନ୍ଦୋଳନ
ସମ୍ବଲପୁର :କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଗ୍ରାଣ୍ଡଶିବା ସମ୍ମେଳନ କକ୍ଷରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ଓ ରାଜ୍ୟ ଛାତ୍ରକଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି, ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ପରି ଅବ୍ୟବସ୍ଥା ରୋକିବାକୁ ସରକାର ସ୍ଥାୟୀ ନୀତି ନିର୍ଦ୍ଧାରଣ ନ କଲେ ଛାତ୍ରକଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ କରାଯିବ। ଆସନ୍ତା ଜୁନ୍ ୧୦ ତାରିଖର ସମାବେଶ ଐତିହାସିକ ହେବ, କାରଣ ସମ୍ବଲପୁର ମାଟିରେ ଅତୀତରେ ବହୁତ ସଂଗ୍ରାମ ଓ ଛାତ୍ର ଆନ୍ଦୋଳନ ସଂଗଠିତ ହୋଇଛି। ଏ ଥରର ଛାତ୍ରଯୁବ ସମାବେଶ ଆଗକୁ ରାଜନେତା ସୃଷ୍ଟି କରିବା ପାଇଁ ଏକ ପ୍ଲାଟଫର୍ମ ହେବ ଏବଂ କହ୍ନେୟା କୁମାରଙ୍କ ଆଗମନ ଛାତ୍ରସମାଜକୁ ପୁନର୍ସଂଗଠିତ କରିବା ସହ ’ଛାତ୍ରଛାତ୍ରୀଙ୍କୁ ସାଲିସବିହୀନ ସଂଗ୍ରାମ କରିବାକୁ ପୁଣି ଦୀକ୍ଷିତ କରିବ । ଯେତେବେଳେ ସରକାର ନିଜ ଅସ୍ଥିତ୍ବକୁ ନେଇ ସନ୍ଦିହାନ ହୁଅନ୍ତି ସେତେବେଳେ ଛାତ୍ରସମାଜକୁ ଭୟ କରିବାକୁ ବାଧ୍ୟ ହୁଅନ୍ତି। ଏବର ଶିକ୍ଷାବ୍ୟବସ୍ଥାକୁ ବିଜେପି ଏତେ ରସାତଳଗାମୀ କଲାଣି ଯେ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତି କିଏ ହେବେ ତାହା ମଧ୍ୟ ଆର୍ଏସ୍ଏସ୍ ନିଷ୍ପତ୍ତି ନେଉଛି। କଂଗ୍ରେସର ଛାତ୍ର ସମାବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ କରାଯିବ। କେହି ହିଂସାକାଣ୍ଡ କଲେ କଂଗ୍ରେସ ତାକୁ ବିରୋଧ କରିବ ବୋଲି ସେ ସତର୍କ କରାଇଦେଇଥିଲେ। ପୁଲିସକୁ ସରକାରୀ ଦଳର ନେତା ଓ କର୍ମୀମାନେ ଯେପରି ଦଳୀୟ ଓ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ତାକୁ ରୋକିବାକୁ ହେବ ବୋଲି ଶ୍ରୀ ଦାସ କହିଥିଲେ। ଧାନସଂଗ୍ରହ ଋତୁରେ ବିଜେପି ସରକାର ୪ରୁ ୬ ହଜାର କୋଟି ସଂଗ୍ରହ କରୁଥିବା ସ୍ପଷ୍ଟ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ ଏବଂ ପାଠ୍ୟନୀତିରେ ପରିବର୍ତ୍ତନକୁ ବିରୋଧ କଂଗ୍ରେସ କରିବ ବୋଲି କହିଥିଲେ l
ରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କା ସମ୍ବଲପୁରରେ ହେଉଥିବା ସମାବେଶସ୍ଥଳୀ ଏବଂ କହେଁୟା କୁମାରଙ୍କ ଶୋଭାଯାତ୍ରା ପଥ ବିଷୟରେ ସୂଚନା ଦେବା ସହ ଛାତ୍ର ଓ ଯୁବକଙ୍କ ଭବିଷ୍ୟତ ପାଇଁ ଆମେ ଲଢୁଛୁ, ଏକ ସୁସ୍ଥ ବିରୋଧୀ ଦଳର ଭୂମିକା ନିର୍ବାହ କରି ଦେଶର ଭବିଷ୍ୟତକୁ ବର୍ବାଦ ନ ହେବା ପାଇଁ ଉଦ୍ୟମ କରୁଛୁ l ଏଥିପାଇଁ ମିଡ଼ିଆ ବନ୍ଧୁଙ୍କ ସହଯୋଗର ନିତାନ୍ତ ଆବଶ୍ୟକତା ଅଛି ବୋଲି ସେ କହିଥିଲେ l
ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି କହିଲେ, ଆମ ଅଜାଣତରେ ଖାଦ୍ୟ ଦ୍ରବ୍ୟ ଦର ବୃଦ୍ଧି ହୋଇଗଲାଣି l ବିଗତ 25 ଦିନରେ ତିନିଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି l ଓଡିଶା ସରକାର 960 ଗୋଟି ପୋଲିସ ଏସଆଇ ନିଯୁକ୍ତ କରିବୁ କହିଥିଲେ, କେତେଜଣଙ୍କୁ ନିଯୁକ୍ତ କଲେ ହିସାବ ଦିଅନ୍ତୁ l ନିଯୁକ୍ତି ଦେବା ଦୂର କଥା 10 ହଜାର ବିଜୁଳି କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିଦେଲା ସରକାର ନୀରବ ରହିଛନ୍ତି, କେଉଁ ପିଲା କେଉଁ ପାଠ ପଢିବ ଏବଂ ପାସ କରିବ ଏଇ ସରକାର ନିଷ୍ପତ୍ତି ନେଉଛି l ତେଣୁ ଏସବୁକୁ ଆମର ବିରୋଧ କରିବାର ଅଛି l
ଉପସ୍ଥିତ NSUI ଓ ପିସିସି ମୁଖପାତ୍ର ବିଭୁତି ମହାପାତ୍ର କହିଲେ, ଆମ ନେତା ଭକ୍ତ ଚରଣ ଦାସ କଳାହାଣ୍ଡି ଓ ସମ୍ବଲପୁରରୁ ବିପ୍ଳବ ଆରମ୍ଭ କରିଥିଲେ, ପୁଣି ସମୟ ଆସଛି, ସମ୍ବଲପୁରରୁ ବିପ୍ଳବ ଆରମ୍ଭ କରିବା l ନିଜ ଛୁଆ ପିଲାଙ୍କ ଓ ଦେଶର ଭବିଷ୍ୟତ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଜନତାଙ୍କୁ ଅନୁରୋଧ ଆସନ୍ତୁ ଏବଂ ସରକାରଙ୍କ ପାଠ୍ୟନୀତିକୁ ବିରୋଧ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରନ୍ତୁ l
ଆଜିର ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରୁଥିବାବେଳେ ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଅମିତ ଗୁରୁ ଓ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ବେହେରା ଉପସ୍ଥିତ ଥିଲେ।

