ବାଲ୍ୟ ବିବାହ ଓ କୈଶୋର ସଶକ୍ତିକରଣ ଡା. ରାଜାରାମ ଷଡ଼ଙ୍ଗୀ
ବାଲ୍ୟ ବିବାହ ହେଉଛି ସେହି ବିବାହ ଯେଉଁଥିରେ ବର କିମ୍ବା କନ୍ୟାଙ୍କ ବୟସ ଆଇନ ଦ୍ୱାରା ନିର୍ଦ୍ଧାରିତ ବିବାହ ବୟସଠାରୁ କମ୍ ଥାଏ। ଏହା ଏକ ସାମାଜିକ କୁପ୍ରଥା ଓ ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ।ଭାରତରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଅନୁଯାୟୀ ଝିଅଙ୍କ ବିବାହ ବୟସ ୧୮ ବର୍ଷ ଏବଂ ପୁଅଙ୍କ ବିବାହ ବୟସ ୨୧ ବର୍ଷ ନିର୍ଦ୍ଧାରିତ ହୋଇଛି।
ବାଲ୍ୟ ବିବାହର କାରଣ ଅନେକ ରହିଛି। ସେଭିତରେ ଦାରିଦ୍ର୍ୟ ଓ ଆର୍ଥିକ ଅସୁବିଧା,ଶିକ୍ଷାର ଅଭାବ,ଲିଙ୍ଗଗତ ବୈଷମ୍ୟ,ସାମାଜିକ ଓ ସାଂସ୍କୃତିକ ପରମ୍ପରା,ପରିବାରର ସମ୍ମାନ ଓ ସୁରକ୍ଷା ସମ୍ପର୍କିତ ଚିନ୍ତା ବା ଭ୍ରାନ୍ତ ଧାରଣା , ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସୀମିତ ସଚେତନତା ବା ଅଜ୍ଞତା ହେଉଛି ଏହାର ମୂଳ କାରଣ।ଯାହାକି ଏହାର କୁପରିଣାମ ସମାଜ ଉପରରେ ପ୍ରଭାବିତ କରିଥାଏ।
ବାଲ୍ୟ ବିବାହ ଦ୍ୱାରା ପାଠପଢ଼ା ବନ୍ଦ ହେବା ସହିତ ଶିକ୍ଷାରୁ ସେମାନେ ବଞ୍ଚିତ ରହି ସାରାଜୀବନ ଅସହାୟ ଓ ଦୁଃଖର ଜୀବନ କାଟିବାକୁ ବାଧ୍ୟ ହୋଇଥାନ୍ତି।
ଏପରିକି ଅଳ୍ପ ବୟସରେ ଗର୍ଭଧାରଣ ଏବଂ ମା’ ହେବା ଦ୍ୱାରା ଓ ଶିଶୁ ଓ ମା ଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।ଯାହାକି ମାତୃ ଓ ଶିଶୁ ମୃତ୍ୟୁହାର ବୃଦ୍ଧି ହେବାର ମୁଖ୍ୟ କାରଣ। ଏପରିକି ଘରୋଇ ହିଂସା ଓ ଶୋଷଣ,ଆର୍ଥିକ ସ୍ୱାଧୀନତା ହ୍ରାସ,ପିଢ଼ି ପରେ ପିଢ଼ି ଦାରିଦ୍ର୍ୟର ଚକ୍ର ଜାରି ରହିବା ଭଳି ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।
ଏଭଳି କ୍ଷେତ୍ରରେ କିଶୋର-କିଶୋରୀ ମାନଙ୍କ ସଶକ୍ତିକରଣ ଅପରିହାର୍ଯ୍ୟ।
କିଶୋର-କିଶୋରୀ ସଶକ୍ତିକରଣର ଅର୍ଥ ହେଉଛି ୧୦ରୁ ୧୯ ବର୍ଷ ବୟସର ଯୁବପିଢ଼ିଙ୍କୁ ଏପରି ଜ୍ଞାନ, କୌଶଳ, ଆତ୍ମବିଶ୍ୱାସ ଓ ସୁଯୋଗ ପ୍ରଦାନ କରିବା, ଯାହା ଦ୍ୱାରା ସେମାନେ ନିଜ ଜୀବନ ସମ୍ପର୍କରେ ସଚେତନ ଓ ସଠିକ୍ ନିଷ୍ପତ୍ତି ନେଇପାରିବେ।ନିଜକୁ ଠିଆ କରାଇବାର ସକ୍ଷମ ବାଟ ପାଇପାରିବେ।
କୈଶୋର ସଶକ୍ତିକରଣ ପାଇଁ କେବଳ ଶିକ୍ଷା ନୁହେଁ, ବରଂ ଗୁଣାତ୍ମକ ଶିକ୍ଷାର ସୁଯୋଗକୁ ସୁନିଶ୍ଚିତ କରିବା ହେଉଛି ବଡ଼ ମାଧ୍ୟମ।ବିଶେଷକରି ଝିଅମାନଙ୍କୁ ବିଦ୍ୟାଳୟରେ ରଖିବାକୁ ପ୍ରୋତ୍ସାହନ ଦେବା,ଡିଜିଟାଲ ଓ ବୃତ୍ତିଗତ ଶିକ୍ଷାକୁ ଉତ୍ସାହିତ କରିବା ଭଳି ପଦକ୍ଷେପ ଅତ୍ୟନ୍ତ ଜରୁରୀ।ସେହିପରି ସ୍ୱାସ୍ଥ୍ୟ ଓ ପୁଷ୍ଟି ପାଇଁ ସନ୍ତୁଳିତ ଖାଦ୍ୟ ଏକ ବଡ଼ ମାଧ୍ୟମ।ତେଣୁ କୈଶୋର ବୟସରେ ଉପଯୁକ୍ତ ପୁଷ୍ଟି ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ଓ ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସେମାନଙ୍କ ଆବଶ୍ୟକତା ରହିଥାଏ। ଏପରିକି କୈଶୋର ସ୍ୱାସ୍ଥ୍ୟ ସେବାର ସୁବିଧାମଧ୍ୟ ସେମାନଙ୍କ ପାଇଁ ଉପଲବ୍ଧ ହେବା ଉଚିତ। ସରକାର ଏହି ସବୁ ଯୋଜନା ମଧ୍ୟ୍ୟ ରଖିଛନ୍ତି କିନ୍ତୁ ଏହାର କାର୍ଯ୍ୟକାରିତା ଦିଗରେ ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତାକୁ ଉପଲବ୍ଧି କରାଯାଉଛି।ଅନ୍ୟ ପକ୍ଷରେ ଜୀବନ କୌଶଳ ବିକାଶ,ଯୋଗାଯୋଗ ଏବଂ ନେତୃତ୍ୱ କୌଶଳ,ସମାଲୋଚନାତ୍ମକ ଚିନ୍ତନ ଓ ନିଷ୍ପତ୍ତି ଗ୍ରହଣ କ୍ଷମତା ସୃଷ୍ଟି, ଆର୍ଥିକ ସାକ୍ଷରତା ଓ କ୍ୟାରିୟର ମାର୍ଗଦର୍ଶନ ଭଳି ବିଭିନ୍ନ କୌଶଳ
କୈଶୋର ସଶକ୍ତିକରଣ ପାଇଁ ଗୋଟିଏ ଗୋଟିଏ ସକାରାତ୍ମକ ଦିଗ।ଲିଙ୍ଗଗତ ସମାନତା ରଖାଯାଇ ପୁଅ ଓ ଝିଅଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା,
କ୍ଷତିକାରକ ଲିଙ୍ଗଗତ ଧାରଣାକୁ ଚ୍ୟାଲେଞ୍ଜ କରିବା,ସମୁଦାୟର ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣକୁ ପ୍ରୋତ୍ସାହନ କରିବା ଦ୍ୱାରା ସେମାନଙ୍କ ସାମାଜିକ ଓ ମାନସିକ ବିକାଶ ପରିପକ୍ୱ ହୋଇଥାଏ।
ଶିଶୁର ସୁରକ୍ଷା ଓ ଅଧିକାର ଏକ ବିଶେଷ ପ୍ରସଙ୍ଗ ହୋଇଥିବାରୁ ଶିଶୁ ଅଧିକାର ଓ ଆଇନଗତ ସୁରକ୍ଷା ବିଷୟରେ ସଚେତନତା କରାଇବା,ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ନିର୍ଯାତନାକୁ ରୋକିବା, ସହାୟତା ଓ ଅଭିଯୋଗ ନିବାରଣ ବ୍ୟବସ୍ଥାର ସୁବିଧାକୁ ଲୋକାଭିମୁଖୀ କରାଇବାର ଆବଶ୍ୟକତା ରହିଛି।
କାରଣ ବାଲ୍ୟ ବିବାହ ଓ କୈଶୋର ସଶକ୍ତିକରଣର ସମ୍ପର୍କ ଅତି ନିବିଡ଼।ବାଲ୍ୟ ବିବାହ ଏକ ସାମାଜିକ ଅଭିଶାପ, ଯାହା କିଶୋର, କିଶୋରୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରେ। ତେଣୁ ବାଲ୍ୟ ବିବାହକୁ ରୋକିବା ପାଇଁ କିଶୋର-କିଶୋରୀ ସଶକ୍ତିକରଣ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ। ଯେତେବେଳେ କିଶୋର-କିଶୋରୀମାନେ
ବିଦ୍ୟାଳୟରେ ଶିକ୍ଷା ଜାରି ରଖନ୍ତି,ସ୍ୱାସ୍ଥ୍ୟ ସମ୍ପର୍କିତ ସଠିକ୍ ତଥ୍ୟ ପାଆନ୍ତି,ଜୀବନ କୌଶଳ ବିକାଶ କରନ୍ତି,ନିଜ ଅଧିକାର ବିଷୟରେ ଜାଣନ୍ତି,ପରିବାର ଓ ସମୁଦାୟର ସମର୍ଥନ ପାଆନ୍ତି ସେତେବେଳେ ହିଁ ସେମାନେ ଭୁଲ ଓ ଠିକ୍ କୁ ନିରୂପଣ କରିଥାନ୍ତି।ଫଳରେ ସେମାନେ ବିବାହକୁ ବିଳମ୍ବ କରିବା, ଉଚ୍ଚଶିକ୍ଷା ଗ୍ରହଣ କରିବା, ରୋଜଗାର ଏବଂ ବ୍ୟକ୍ତିଗତ ବିକାଶ ଦିଗରେ ଆଗେଇବାର ସମ୍ଭାବନା ଅଧିକ ଥାଏ।ଏଥିପାଇଁ ପ୍ରଶାସନିକ ପର୍ଯ୍ୟପ୍ତ ସୁଯୋଗ ଓ ସୁବିଧା ରହିଛି।ସମସ୍ତ ବିଭାଗୀୟ କାର୍ଯ୍ୟଦକ୍ଷତା ସମନ୍ୱୟ ପ୍ରଦର୍ଶନ ହେଉଛି କୈଶୋର ସଶକ୍ତିକରଣ ସକାରାତ୍ମକ ଦିଗ।ବାଲ୍ୟ ବିବାହର ସମାପ୍ତି ଏବଂ କିଶୋର-କିଶୋରୀ ସଶକ୍ତିକରଣ ଲିଙ୍ଗ ସମାନତା, ଉନ୍ନତ ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ହ୍ରାସ ଏବଂ ସ୍ଥାୟୀ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ସଶକ୍ତ କିଶୋର-କିଶୋରୀ ମାନେ ଜ୍ଞାନସମ୍ପନ୍ନ, ସୁସ୍ଥ ଏବଂ ଉତ୍ପାଦନଶୀଳ ନାଗରିକ ଭାବେ ଗଢ଼ିଉଠନ୍ତି ଓ ସମାଜର ସକାରାତ୍ମକ ପରିବର୍ତ୍ତନରେ ମୁଖ୍ୟ ଭୂମିକା ନେଇଥାନ୍ତି।ତେଣୁ ପରିବାର, ସମାଜ, ବିଦ୍ୟାଳୟ ଓ ସରକାରଙ୍କ ସମ୍ୱନ୍ୱିତ ପ୍ରୟାସ ଦ୍ୱାରା ବାଲ୍ୟ ବିଭାହ ରୋକି କିଶୋର ଓ କିଶୋରୀ ମାନଙ୍କୁ ସଶକ୍ତ କରିବା ଆବଶ୍ୟକ। ଏହା ଏକ ସୁସ୍ଥ, ଶିକ୍ଷିତ, ଓ ସମୃଦ୍ଧ ସମାଜ ଗଠନର ମୂଳ ଆଧାର।
ସଦସ୍ୟ ଶିଶୁ ମଙ୍ଗଳ ସମିତି
ସମ୍ବଲପୁର
ଫୋନ : ୯୪୩୭୪୦୫୪୫୫

