ସମ୍ବଲପୁର ମହାନଗର ଶୀତଳଷଷ୍ଠୀ ସମିତି:ମିଳିତ ପ୍ରୟାସରେ ଯାତ୍ରାକୁ ଭବ୍ୟ ଓ ଐତିହାସିକ ରୂପେ ପାଳନ କରିବାକୁ ସଂକଳ୍ପ
ସମ୍ବଲପୁର: :ବିଶ୍ୱପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ସୁଚାରୁ ରୂପେ, ଶାନ୍ତିଶୃଙ୍ଖଳା ଓ ସମନ୍ୱୟର ସହିତ ପାଳନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ସନ୍ଧ୍ୟା ୮ ଘଟିକା ସମୟରେ ସମ୍ବଲପୁର ସାମ୍ବାଦିକ ଭବନଠାରେ ସମ୍ବଲପୁର ମହାନଗର ଶୀତଳଷଷ୍ଠୀ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ସମିତିର ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ସମିତିର ବରିଷ୍ଠ ସଦସ୍ୟ ଶତ୍ରୁଘନ ଲାଲ ଶାହା, ପ୍ରଦୀପ ବହିଦାର ଏବଂ ବୁଲୁ ବିଶ୍ୱାଳ ମଞ୍ଚାସୀନ ଥିଲେ। ବୈଠକରେ ଶୀତଳଷଷ୍ଠୀ ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା, ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା, ଟ୍ରାଫିକ ପରିଚାଳନା, ସ୍ୱଚ୍ଛତା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ କମିଟି ମଧ୍ୟରେ ସମନ୍ୱୟ ରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ସମନ୍ୱୟ ବୈଠକରେ ସମ୍ବଲପୁର ମହାନଗର ଶୀତଳଷଷ୍ଠୀ ସମିତି ଅଧୀନରେ କାର୍ଯ୍ୟରତ ୧୨ଟି ଶୀତଳଷଷ୍ଠୀ କମିଟିର ପ୍ରତିନିଧିମାନେ ଯୋଗଦେଇଥିଲେ। ସେଥିରେ ରାମେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ସାଲିଆ ବଗିଚା, ବାବା ବତୁକନାଥ ଶୀତଳଷଷ୍ଠୀ କମିଟି, ବରେଇପାଲି, ଗୁପ୍ତେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ଦଳେଇପଡ଼ା, କଳ୍ପେଶ୍ୱର ବାବା ଶୀତଳଷଷ୍ଠୀ କମିଟି, କୁଲୁଥକାନି, ମହାକାଳେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ଫାଟକ, ପାହାଡେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ବୁଢ଼ାରଜା, ଗୁଡେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ଦୁର୍ଗାପାଲି, ଭୂତନାଥ ବାବା ଶୀତଳଷଷ୍ଠୀ କମିଟି, ଭୂତାପଡ଼ା, ନୀଳକଣ୍ଠେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ହୀରାକୁଦ, ଶିବେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ଅଇଁଠାପାଲି, ଓଁ ସରଲେଶ୍ୱର ବାବା ଶୀତଳଷଷ୍ଠୀ କମିଟି, ସରଲା ଏବଂ ନୀଳକଣ୍ଠେଶ୍ୱର ବାବା ଶୀତଳଷଷ୍ଠୀ କମିଟି, କ୍ଷେତ୍ରାଜପୁରର ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ସଭାପତି ଶ୍ରୀ ପଟେଲ ନିଜ ଅଭିଭାଷଣରେ ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁରର ଗୌରବମୟ ପରମ୍ପରା ହୋଇଥିବାରୁ ସମସ୍ତ କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ମାଧ୍ୟମରେ ଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ। ସେ ସମସ୍ତ ସଦସ୍ୟଙ୍କୁ ଶୃଙ୍ଖଳା, ସେବା ଭାବନା ଏବଂ ଭକ୍ତମାନଙ୍କ ସୁବିଧାକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଥିଲେ।
ଶେଷରେ ସମସ୍ତ କମିଟିର ସକ୍ରିୟ ସହଯୋଗ ଓ ମିଳିତ ପ୍ରୟାସ ମାଧ୍ୟମରେ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରାକୁ ଭବ୍ୟ ଓ ଐତିହାସିକ ରୂପେ ପାଳନ କରିବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା।

