ପ୍ରଶାସନ ଶୁଣିଲାନି, ଅସହାୟ ମହିଳାଙ୍କୁ ସହାୟ ହେଲେ ଯୁବକ ସଙ୍ଘ
 
        ଜମନକିରା :  ସରକାର ଅନେକ ସମୟରେ ଦୁଃଖୀ ଦରିଦ୍ର ଅସହାୟଙ୍କ ସହଯୋଗ ନିମନ୍ତେ ଅନେଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଅନେକ ଅସହାୟ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜମନକିରା ବ୍ଲକ ବଡମାଲ ପଞ୍ଚାୟତ ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ। ବିଗତ ୧୬ରୁ ଅଧିକ ଦିନ ହେବ ଏକ ଅଣ ଓଡ଼ିଆ ମହିଳା ବଂଜାରି ଗ୍ରାମରେ ଅବସ୍ଥାନ କରିଛନ୍ତି।
ସୂଚନା ଅନୁସାରେ, ଗତ ୧୫ ଦିନରୁ ଅଧିକ ହେବ ଜଣେ ଅଜଣା ମହିଳା ବଞ୍ଜାରି ଗ୍ରାମରେ ପହଞ୍ଚିଥିଲେ। ସେ ଗ୍ରାମର ଏକ ଦୋକାନ ପିଣ୍ଡାରେ ବସି କାନ୍ଦୁଥିବା ବେଳେ ଆଖପାଖ ଘର ଗୁଡ଼ିକର ମହିଳା ମାନେ ପାଖକୁ ଆସି ବୁଝିଥିଲେ। ତେବେ ସେ ଦକ୍ଷିଣ ଭାରତୀୟ ଭାଷାରେ କଥା ହେବାରୁ ମହିଳା ମାନେ କିଛି ବୁଝି ପାରି ନଥିଲେ। ସେହି ସମୟରେ ଗ୍ରାମର ଯୁବକ ସଂଘ ପହଞ୍ଚି ତାଙ୍କୁ କାନ୍ଦିବା ଘଟଣା ବିଷୟରେ ପଚାରିଥିଲେ। ମାତ୍ର ଅନୁରୂପ ଭାବେ ମହିଳା ଜଣକ ଅଣ ଓଡ଼ିଆ ହୋଇଥିବା ଯୋଗୁଁ ଭାଷା ବୁଝିବା ଯୁବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇଥିଲା। ତେବେ ଠରା ଠରି କରି ଜାଣିବା ରୁ ମହିଳା ଜଣକ ମାନସିକ ବିକୃତ ଥିବା ପରି ଯୁବକ ମାନେ ଅନୁଭବ କଲେ। ମହିଳା ଙ୍କୁ କିପରି ଥଇଥାନ କରାଯାଇ ପାରିବ ସେନେଇ ଯୁବକ ସଂଘର ଉମେଶ ମାଝୀ ତାଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇଛନ୍ତି। ଯୁବକ ସଂଘର କହିବା ଅନୁସାରେ ସେ ଏହି କଥାକୁ ନେଇ ଜମନକିରା ଥାନା ଏବଂ ସମ୍ବଲପୁର ସାକ୍ଷୀ ସଂସ୍ଥାକୁ ଅବଗତ କରାଇ ତାଙ୍କୁ  ତାଙ୍କ ଘରକୁ ପହଞ୍ଚାଇ ଦେବାକୁ କହିବାରୁ ଉକ୍ତ ପ୍ରଶାସନିକ ଅଧିକାରୀ ଆମେ ଏହି ବାବଦରେ କୌଣସି ସାହାଯ୍ୟ କରି ପାରିବୁ ନାହିଁ ବୋଲି କହିଥିଲେ। ଆପଣ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାନ୍ତୁ କହି କଥା କୁ ଟାଳି ଦେଇଥିଲେ। ଯୁବକ ସଂଘଙ୍କ ଅଭିଯୋଗ ଯେ, ଯଦି ପ୍ରଶାସନ ଅସହାୟଙ୍କ ସହାୟତା ନକରିବେ ତାହେଲେ କିଏ କରିବ ବୋଲି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଚାରିଥିଲେ। ଉକ୍ତ ମହିଳା ଏଠି ରହିବା ଅବସ୍ଥାରେ ଯଦି କିଛି ଅଘଟଣ ଘଟେ ସେତେ ବେଳେ କିଏ ଦାୟୀ ହେବେ ବୋଲି ପ୍ରକାଶ କରିଥିଲେ।  ଏଥି ପାଇଁ ସମ୍ପୂର୍ଣ ପ୍ରଶାସନ ଦାୟୀ ହେବ ବୋଲି କହିଛନ୍ତି। ତୁରନ୍ତ ମହିଳାଙ୍କ ଥଇଥାନ ବ୍ୟବସ୍ଥା କରିବା ପାଇଁ ଗ୍ରାମର ଯୁବକ ସଂଘ ପକ୍ଷରୁ ଦାବି କରାଯାଇଛି।
ଏ ସଂକ୍ରାନ୍ତରେ ଜମନକିରା ବିଏସଏସଓ ଅଧିକାରୀ ଅଜିତ ସାହୁଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଜିଲ୍ଲା ଅଧିକାରୀଙ୍କୁ ଜଣାଇ ମହିଳାଙ୍କ ଥଇଥାନ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

 
                        
 
                                 
                                 
                                 
                                 
                                