ପିତୃମାତୃହୀନ ୨୦ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶର ସୁଯୋଗ, ଏସଆଇଏଚଏମ୍ ବଲାଙ୍ଗୀରରେ ପ୍ରଶିକ୍ଷଣ ପାଇଁ ଝାରସୁଗୁଡ଼ାରୁ ଯାତ୍ରା ଆରମ୍ଭ
ଝାରସୁଗୁଡ଼ା, ୩୦/୬ (ଓଡ଼ିଶା ନ୍ୟୁଜ୍): ପିତୃମାତୃ ହୀନ ଅସହାୟ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମୁନିସିପାଲିଟି ଅଞ୍ଚଳରୁ ମନୋନିତ ୨୦ ଜଣ ପିତୃମାତୃହୀନ ଛାତ୍ରଛାତ୍ରୀଙ୍କୁ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (SIHM), ବଲାଙ୍ଗୀରରେ ନାମଲେଖା ଓ ପ୍ରଶିକ୍ଷଣ ପାଇଁ ପଠା ଯାଇଛି।
ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଦକ୍ଷତା ହାସଲ କରି ଭବିଷ୍ୟତରେ ରୋଜଗାର ଓ ଆତ୍ମ ନିର୍ଭରତାର ସୁଯୋଗ ପାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରା ଯାଇଛି।
ଏହି ଅବସରରେ ମଙ୍ଗଳବାର ସକାଳ ୮ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ନିଷ୍ଠା, ପରିଶ୍ରମ ଓ ଅଧ୍ୟବସାୟର ସହିତ ପ୍ରଶିକ୍ଷଣ ଗ୍ରହଣ କରି ଜୀବନରେ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀମତୀ ସଙ୍ଗୀତା ମେହେରଙ୍କ ସମନ୍ୱୟରେ ସମ୍ପାଦିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଚୂଡ଼ାମଣି ପଣ୍ଡା ଛାତ୍ରଛାତ୍ରୀ ମାନଙ୍କ ସହ ବଲାଙ୍ଗୀର ଯାଇ ନାମଲେଖା ପ୍ରକ୍ରିୟା ସୁନିଶ୍ଚିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହି ୨୦ ଜଣ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଯଶୋଦା ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଯୋଜନା ଓ ଦକ୍ଷତା ବିକାଶ ଯୋଜନାରୁ ଉପକୃତ ହୋଇ ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇବେ।ଦକ୍ଷତା ବିକାଶ, ଗୁଣାତ୍ମକ ପ୍ରଶିକ୍ଷଣ ଓ ରୋଜଗାରମୁଖୀ ଶିକ୍ଷା ମାଧ୍ୟମରେ ପିତୃମାତୃ ହୀନ ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ଏକ ମାନବିକ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ମତ ପ୍ରକାଶ ପାଉଛି।

