‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ: କୁନି କୁନି ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ ଓ ପରିବେଶ ସଚେତନତା ।
ବଲାଙ୍ଗୀର,୧୦।୭: ପରିବେଶର ସୁରକ୍ଷା ଓ ଧରିତ୍ରୀର ସବୁଜିମା ବୃଦ୍ଧି କରିବା ଲକ୍ଷ୍ୟ ନେଇ କଣ୍ଟାବାଞ୍ଜିଠାରେ ଆନୁଷ୍ଠାନିକ ଭାବେ ‘ଏକ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିବା ବେଳେ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ବଣ୍ଟାଯାଇଛି।
ସ୍ଥାନୀୟ ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଲହଣ୍ଡି ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ବେହେରା ଏବଂ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସଭାପତି ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରଜାତିର ମୂଲ୍ୟବାନ ଚାରାରୋପଣ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଉପକାରିତା, ଜଳବାୟୁ ପର୍ଯ୍ୟାବରଣର ସୁରକ୍ଷା, ବିଶ୍ୱ ତାପାୟନ ଏବଂ ବନ ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। କେବଳ ଗଛ ଲଗାଇବା ନୁହେଁ, ବରଂ ପ୍ରତ୍ୟେକ ରୋପିତ ଚାରାର ସୁରକ୍ଷା ଓ ଉପଯୁକ୍ତ ଯତ୍ନ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀମାନେ ମିଳିତ ଭାବେ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମରେ ସାମ୍ବାଦିକ ମୋହନ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, “ବୃକ୍ଷ ହେଉଛି ଜୀବନର ଆଧାର। ଏକ ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରତ୍ୟେକ ନାଗରିକ ବର୍ଷକୁ ଅତିକମରେ ଗୋଟିଏ ଗଛ ଲଗାଇବା ସହ ତାର ସୁରକ୍ଷା କରିବା ଦାୟିତ୍ୱ ନେବା ଉଚିତ।”
ଏଭଳି ଏକ ସୁନ୍ଦର ପ୍ରୟାସ ପାଇଁ ସରପଞ୍ଚ ଜଗବନ୍ଧୁ ବେହେରା ବିକାଶ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ କଣ୍ଟାବାଞ୍ଜି ବନ ବିଭାଗର କାର୍ଯ୍ୟଦକ୍ଷତାକୁ ବେଶ୍ ପ୍ରଶଂସା କରିଥିଲେ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଲେ ଆଗାମୀ ଯୁବପିଢ଼ି ପରିବେଶ ପ୍ରତି ଅଧିକ ସଚେତନ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶୁଭମ, ଲଳିତ, ଗଗନ, ସ୍ୱର୍ଣ୍ଣଲତା ମେଡମଙ୍କ ସମେତ ବନ ବିଭାଗର ଫୋରେଷ୍ଟ ଗାର୍ଡ ସତ୍ୟସ୍ୱିନୀ ହେର୍ନା, ସବନମ୍ ଫିର୍ଦୋଷ, ଓ କ୍ରାନ୍ତି ମାଝୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସମସ୍ତେ ମିଳିତ ଭାବେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ।

