Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁଚିଣ୍ଡା କଲେଜକୁ ସମ୍ପୂର୍ଣ୍ଣ ସରକାରୀ କଲେଜ ମାନ୍ୟତା ଦାବିରେ ଛାତ୍ର ସାମ୍ମୁଖ୍ୟର ଗଣ ଧାରଣା

ଜମନକିରା : ପଶ୍ଚିମ ଓଡିଶାରେ ଶିକ୍ଷାର ପ୍ରଦୀପ ସାଜିଥିବା କୁଚିଣ୍ଡା ମହାବିଦ୍ୟାଳୟକୁ ଇତିମଧ୍ୟରେ ୫୬ ବର୍ଷ ବିତି ଯାଇଛି। ତଥାପି ଏହି ମହାବିଦ୍ୟାଳୟ ନାମରେ ତାର ନିଜସ୍ୱ ଭୂମି ଖଣ୍ଡେ ନାହିଁ। ଗତ ୧୯୮୯ ମସିହାରେ ଯେତେ ବେଳେ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଥିଲେ, ସେ ସମୟରେ କୁଚିଣ୍ଡା କଲେଜ ପରି ୧୧ ଟି ଆଇଟିଡିଏ ମୁଖ୍ୟାଲୟରେ ସ୍ଥାପିତ କଲେଜ ଗୁଡିକକୁ ସମ୍ମୁର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ କରାଯିବା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏବେ ଯାଏଁ ତାହା ନା’ କାର୍ଯ୍ୟକାରୀ ହୋଇ ପାରିଛି ନା’ କୁଚିଣ୍ଡା କଲେଜକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି। ଅନ୍ୟପଟେ ମହାବିଦ୍ୟାଳୟରେ ଆଗରୁ ଥିବା ବି.ଇ.ଡି ଓ ପି.ଜି ପାଠ୍ୟକ୍ରମ କୁ ବନ୍ଦ କରି ଦିଆଯାଇଛି। ଦେଖିବାକୁ ମିଳୁଛି ବିଗତ କିଛି ବର୍ଷ ଭିତରେ ଶିକ୍ଷାର ମାନଦଣ୍ଡ ମଧ୍ୟ କମିବାରେ ଲାଗୁଛି। ଉପଖଣ୍ଡର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ବାମରା କଲେଜ ଡିଗ୍ରୀ ଶ୍ରେଣୀରେ ବିଜ୍ଞାନ ବିଭାଗ ନଥିଲା ବେଳେ ଜମନକିରାରେ ଥିବା ବିଜ୍ଞାନ ବିଭାଗ କୁ ଛାତ୍ର ଛାତ୍ରୀ ମାନଙ୍କ ଦେଇଥିବା ଶୁଳ୍କରେ ଚାଲିଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ଛାତ୍ର ସାମ୍ମୁଖ୍ୟ ତଥା ଉପଖଣ୍ଡର ବୁଦ୍ଧିଜୀବୀ ମାନଙ୍କ ସହ ଗତ ୨୩ ମଇରେ ଆଲୋଚନା କରାଯାଇଥିଲା। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଆଜି ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ କୁଚିଣ୍ଡାର କାର୍ଯ୍ୟକାରୀ ସଂଯୋଜକ ପ୍ରିତମ ପୃଷେଠଙ୍କ ନେତୃତ୍ୱରେ କୁଚିଣ୍ଡା କଲେଜର ସମ୍ପୂର୍ଣ୍ଣ ସରକାରୀ କରଣ, ଜମିପଟ୍ଟା ପ୍ରଦାନ, ବନ୍ଦ ହୋଇଯାଇଥିବା ବି.ଇ.ଡି ଏବଂ ପି.ଜି ପାଠ୍ୟକ୍ରମର ପୁନଃ ପ୍ରଚଳନ, ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ସନ୍ତାନ ସନ୍ତତି ମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢିବା ବାଧ୍ୟତା ମୂଳକ କରାଯିବା, କୁଚିଣ୍ଡାରେ ଏକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ, ବାମରା କଲେଜରେ ବିଜ୍ଞାନ ପାଠ୍ୟକ୍ରମର ଆରମ୍ଭ , ଜମନକିରା କଲେଜରେ ଥିବା ବିଜ୍ଞାନ ପାଠ୍ୟକ୍ରମକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଜମନକିରା ଯୁକ୍ତ ୨ ମହାବିଦ୍ୟାଳୟ ପାଇଁ ଜଣେ ଅଭିଜ୍ଞତା ଥିବା ଅଧକ୍ଷ ଏବଂ ଅଧ୍ୟାପକ ନିଯୁକ୍ତି ଆଦି ଦାବି ନେଇ କୁଚିଣ୍ଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ପ୍ରଦାନ କରା ଯିବା ସହ ଉପ-ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା। ଏହା ପରେ ସାମ୍ମୁଖ୍ୟ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି କହିଥିଲା ଛାତ୍ର ଓ କୁଚିଣ୍ଡା ବାସି ସରକାରଙ୍କୁ ଗୋଟିଏ ମାସ ସମୟ ଦେଉଛନ୍ତି ଯଦି, ଏହା ଭିତରେ ଦାବି ପୂରଣ ନହେଲେ ଝାରସୁଗୁଡା ପରି କୁଚିଣ୍ଡାରେ ମଧ୍ୟ ଏହି ଆନ୍ଦୋଳନକୁ ଉପଖଣ୍ଡର ଗାଁ ଗାଁ କୁ ନେଇଯିବ ଓ ସମସ୍ତ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଧାରଣାରେ ବସିବ ବୋଲି ଦୃଢ଼ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର ସମ୍ମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ତଥା କୁଚିଣ୍ଡା ଅଞ୍ଚଳ ନିରୀକ୍ଷକ ଜିତେନ୍ଦ୍ରିୟ ଧୂରୁଆ, କେନ୍ଦ୍ରୀୟ ସହ-ସଂଯୋଜକ ଅସୀମ ପଟେଲ, ରଞ୍ଜନ ନାୟକ, ସୋମ୍ୟରଞ୍ଜନ ସାହୁ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିବା ବେଳେ ସାମ୍ମୁଖ୍ୟର କେନ୍ଦ୍ରୀୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ଯୁବନେତା ରଶ୍ମିକାନ୍ତ ସାମଲ, ଆଦିବାସୀ ନେତା ଭଦ୍ର ଚରଣ କିସାନ,ଚାଷୀ ନେତା ମନୋରଞ୍ଜନ ପଟେଲ, ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଜନକମେଲ ଲାକ୍ରା, ଏଡଭୋକେଟ ସ୍ଵପ୍ନେଶ୍ୱର ପ୍ରଧାନ,ଚୈତନ୍ୟ କାଉ ପ୍ରମୁଖ ଉପସ୍ଥିତ ଥିଲେ।