Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୂରବୀ ବିହୀନ ହୋଇଯିବ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଅନ୍ଧାରରେ ଶିକ୍ଷାର୍ଥୀଙ୍କ ଭବିଷ୍ୟତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଦୀର୍ଘ ୩୦ ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ବହୁ ପ୍ରଚେଷ୍ଟାରେ ଗଢି ଉଠିଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟ ଟି ଚଳିତ ମାସ ଠାରୁ ଅଧକ୍ଷ ବିନା ଶ୍ରୀହୀନ ହୋଇପଡିବ। ପଢୁଥିବା ପାଖାପାଖି ସାଢେ଼ ୬ଶହ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ ପଡ଼ିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଖୁବ ଶୀଘ୍ର ପଦବୀ ପୂରଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହା ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ ଯେ, ଗତ ୨୦୮୩ ମସିହାରେ ଜମନକିରା ବ୍ଲକ ସଦର ମହକୁମାରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଞ୍ଚଳବାସୀଙ୍କ ବଦାନ୍ୟତା ଏବଂ ଶିକ୍ଷାଦାତାଙ୍କ ସହଯୋଗରେ ଗଢି ଉଠିଥିଲା। ବହୁଦିନ ଧରି ଅଧ୍ୟାପକ ମାନେ ବିନା ଦରମାରେ କିଛିଟା ପାରିତୋଷିକ ନେଇ ଶିକ୍ଷାଦାନ କରି ଆସୁଥିଲେ। ସେହି ସମୟରୁ ସ୍ବର୍ଗତ ପ୍ରଶାନ୍ତ କୁମାର ପଟେଲ ଅଧକ୍ଷ ଭାବେ ଦାୟିତ୍ଵ ନେଇ କଲେଜ କୁ ସୁରୁଖୁରୁରେ ପରିଚାଳନା କରି ଆସୁଥିଲେ। ପରବର୍ତ୍ତୀ ସମୟରେ ଡ. ବସନ୍ତ କୁମାର ଦାସ, ଡ. କୃପାସିନ୍ଧୁ ନାଥ ପ୍ରମୁଖ ଅଧ୍ୟକ୍ଷ ରହି ଅବସର ନେଲେ। ତାଙ୍କ ପରେ ଗତ ଦେଢ଼ ବର୍ଷ ହେବ ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷ କାର୍ଯ୍ୟ ତୁଲେଇ ଆସୁଛନ୍ତି।

ତେବେ ସେ ଚଳିତ ମାସ ଅବସର ଗ୍ରହଣ କରିବେ। କଲେଜ ଖୋଲିବାର ୨/୩ ବର୍ଷ ମଧ୍ୟରେ ୭ ଜଣ ଅଧ୍ୟାପକ କାର୍ଯ୍ୟ କରୁଥିଲେ। ଯାହାକି ବହୁଦିନ ଧରି ବିନା ଗ୍ରାଣ୍ଟ ଇନ୍ ଏଡ ରେ ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ଯ୍ୟ କରି ଆସୁଥିଲେ। ମାତ୍ର କିଛି ୩/୪ ବର୍ଷ ମଧ୍ୟରେ ସମସ୍ତ ରେଗୁଲାର ଅଧ୍ୟାପକ ଅବସର ଗ୍ରହଣ କରିସାରିଲେଣି। ଏବେ ଯାହାବି ଅଧ୍ୟାପକ ଅଛନ୍ତି, ସମସ୍ତେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କୁ ଦରମା, କଲେଜର ନିଜସ୍ୱ ଆୟରୁ ପ୍ରଦାନ କରାଯାଉଛି। ଯାହା ବହୁତ କମ ପରିମାଣ ଅଟେ। ଯଦି କେହି ଠିକା ଅଧ୍ୟାପକଙ୍କୁ ଅନ୍ୟ କୋଉଠି ରେଗୁଲାର କିମ୍ବା ସରକାରୀ ଚାକିରି ମିଳିଯାଏ, ସେମାନେ ଇସ୍ତଫା ଦେଇ ଅବିଳମ୍ବେ ଚାଲିଯିବେ। ଆଉ ସାଢ଼େ ୬ ଶହ ଛାତ୍ରୀ ଛାତ୍ରଙ୍କ ଭବିଷ୍ୟତ ଜୀବନ ଅନ୍ଧାରରେ ରହିଯିବ। କେମିତି ପାଠ ପଢାହେବ କେମିତି ପରିଚାଳନା ହେବ ସମସ୍ତେ ସନ୍ଧିହାନ ହୋଇପଡିବେ। ଏବେ ଯୁକ୍ତ ଦୁଇ କଳା ବିଭାଗରେ ୫ ଶହ ଛାତ୍ରୀ ଛାତ୍ର ପଢୁଥିବା ବେଳେ ୫ ଜଣ ଠିକା ଅଧ୍ୟାପକ ଅଧ୍ୟାପିକା ଶିକ୍ଷାଦାନ କରୁଛନ୍ତି। ସେହିପରି ଦେଢ଼ ଶହ ଛାତ୍ରୀ ଛାତ୍ର ବିଜ୍ଞାନ ବିଭାଗରେ ପଢୁଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ଠିକା ଭାବରେ ୫ ଜଣ ଅଧ୍ୟାପକ ଅଧ୍ୟାପିକା ଶିକ୍ଷାଦାନ କରିଥାନ୍ତି। ତେବେ ୧୦ ହଜାର ରୁ କମ

ଦରମା ପାଉଥିବା ଶିକ୍ଷକଙ୍କ ପାଇଁ କଲେଜରେ ପାଠ ପଢେଇବା କଷ୍ଟକର ହୋଇ ପଡ଼ୁଥିବା ନେଇ ଅଞ୍ଚଳବାସୀ ଆଶା ପ୍ରକାଶ କରୁଛନ୍ତି। ଏନେଇ ଜମନକିରା ଗ୍ରାମବାସୀ ସରକାରଙ୍କ ତଥା ବିଭାଗ ଅଧିକାରୀଙ୍କ ଅନେକ ଥର ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। ଆଜି ଏହି ସମସ୍ୟା କୁ ନେଇ କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଣ ଧାରଣା ଦିଆଯିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ମଳିତ ଦାବିପତ୍ର ଉପଜିଲ୍ଲାପାଳ ଜରିଏ ପ୍ରଦାନ କରାଯାଇଛି। ତେବେ ଚଳିତ ମାସ ମଧ୍ୟରେ ଏହାର ଆଶୁ ସମାଧାନ ନହେଲେ କଲେଜରେ ଉଭୟ ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ ଦାବି କରିଛନ୍ତି।