Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ପରେ ରାଜ୍ୟରେ ଆଉ ଏକ ଟ୍ରେନ ଦୁର୍ଘଟଣା, ବରଗଡ଼ରେ ମାଲବାହୀ ଟ୍ରେନର ୫ ବଗି ଲାଇନଚ୍ୟୁତ୍

ବରଗଡ଼: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ବିଭୀଷିକା ଦୃଶ୍ୟ ଲୋକଙ୍କ ମନରୁ ନଲିଭିଣୁ ରାଜ୍ୟରେ ପୁଣି ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । ସୋମବାର ବରଗଡ ଜିଲ୍ଲା ମେଣ୍ଢାପାଲି ନିକଟରେ ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ର ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଲାଇନଚ୍ୟୁତ୍ ହୋଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଡଙ୍ଗୁରି ଚୂନପଥର ଖଣିରୁ ବରଗଡ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ବେଳେ ଅଘଟଣ ଘଟିଛି ।

ଇଷ୍ଟ କୋଷ୍ଟ ରେଲଓ୍ଵେ ତରଫରୁ ଘଟଣାକୁ ନେଇ ବିବୃତ୍ତି ଜାରି କରାଯାଇଛି। ରେଲଓ୍ଵେ କହିଛି ଏକ ଘରୋଇ ସିମେଣ୍ଟ କମ୍ପାନୀ ଦ୍ଵାରା ଏହି ମାଲବାହୀ ଟ୍ରେନର ସଞ୍ଚାଳନ କରାଯାଉଥିଲା। ଏହା ନାରୋ ଗେଜ୍ ସାଇଡିଂରେ ଚାଲୁଥିଲା। କମ୍ପାନୀ ଦ୍ଵାରା ରୋଲିଂ ଷ୍ଟକ, ଇଞ୍ଜିନ, ଓ୍ଵଗ, ଟ୍ରେନ ଟ୍ରାକ ସମେତ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରାଯାଉଛି।

ସୂଚନାଯୋଗ୍ୟ, ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୀର୍ଘ ୫୧ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ରୁଟରେ ପୁଣି ଥରେ ଟ୍ରେନ ଗଡ଼ିଛି। ଗତକାଲି ରାତିରେ ମାଲବାହୀ ଟ୍ରେନ ଗଡ଼ିଥିବା ବେଳେ ଆଜି ସକାଳେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉକ୍ତ ରୁଟରେ ଯାତ୍ରା କରିଛି। ବାହାନଗା ଟ୍ରାଜେଡ଼ିର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ