ଜମନକିରା ବ୍ଲକ କଂଗ୍ରେସ ସାଧାରଣ ବୈଠକର ଗର୍ଜନ: ବିଜେପି ସରକାର ଓ ପ୍ରଶାସନର ଦୁର୍ନୀତି ବିରୋଧରେ ହେବ ଜୋରଦାର ଆନ୍ଦୋଳନ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଅର୍ଜୁନପାଲି ସ୍ଥିତ ମଣ୍ଡପ ଠାରେ ଜମନକିରା ବ୍ଲକ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ମନୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧୀନ ପ୍ରତ୍ୟେକ ଗ୍ରାମ ଓ ବୁଥ୍ କମିଟିକୁ ସଂଗଠିତ କରିବା ସହ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ବିଜେପି ସରକାର ତଥା ସ୍ଥାନୀୟ ପ୍ରଶାସନର କାର୍ଯ୍ୟକଳାପ, ବ୍ୟାପକ ଦୁର୍ନୀତି ଏବଂ ଜନସାଧାରଣ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ କର୍ମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏହି ଅନ୍ୟାୟ, ଅବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏବେ କଂଗ୍ରେସ ସଂପୂର୍ଣ୍ଣ ଭାବେ ଜାଗି ଉଠିଛି ବୋଲି ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବିଜେପି ସରକାର ଓ ପ୍ରଶାସନର ପ୍ରତ୍ୟେକଟି ଦୁର୍ନୀତିକୁ ସର୍ବସାଧାରଣରେ ପର୍ଦ୍ଦାଫାଶ କରାଯିବ ଏବଂ ଜନସ୍ୱାର୍ଥ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ ତଥା ଜୋରଦାର ପ୍ରତିରୋଧ କରିବ ବୋଲି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ କେଦାର ବରିହା, ସରୋଜ ପଟ୍ଟନାୟକ, ଗୁରୁ ଚରଣ ପଟେଲ, ଦିଲୀପ ସାହୁ, ସୁଧାଂଶୁ ଚୌଧରୀ, ଥବ୍ବିର ଜୟପୁରିଆ, ନନ୍ଦଲାଲ ଜୟପୂରିଆ, ସଂଗ୍ରାମ ନାଥ ଶର୍ମା, କିଶୋର ନାୟକ, ଅଶୋକ ଦାନୀ ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହି ସଂଗଠନକୁ ଶକ୍ତିଶାଳୀ କରିବା ସହ ଲୋକଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

