ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଦାଦାବଟିକୁ ନେଇ ଆତଙ୍କରାଜ ଓ ଭଙ୍ଗାରୁଜା: ମୁଖ୍ୟ ୨ ଅଭିଯୁକ୍ତ ଗିରଫ, ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ।
ବଲାଙ୍ଗୀର,୬।୯: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ଦେଖିବାକୁ ମିଳିଛି। ଖୋଦ୍ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଦୁର୍ବୃତ୍ତମାନେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଅଶାନ୍ତି ସୃଷ୍ଟି କରିଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟ ଗେଟ୍ ନିକଟରେ କିଛି ଦୁର୍ବୃତ୍ତ ସାଧାରଣ ଛାତ୍ରଛାତ୍ରୀଙ୍କୁ ଅଟକାଇ ବେଆଇନ ଭାବେ ଟଙ୍କା/ଦାଦାବଟି ମାଗିଥିଲେ। ଛାତ୍ରମାନେ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ଲୁହା ରଡ୍ରେ ଏକ ବାଇକ୍କୁ ଭାଙ୍ଗି ଚୁରମାର୍ କରିଥିଲେ ଏବଂ ଉପସ୍ଥିତ ଛାତ୍ରଙ୍କୁ ସଂଘାତିକ ଆକ୍ରମଣ କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ପ୍ରହରୀଙ୍କ ସମ୍ମୁଖରେ ଘଟିଥିଲେ ସୁଦ୍ଧା କେହି ଏହାକୁ ରୋକିବାକୁ ସାହସ କରିନଥିଲେ।
ଲକ୍ଷ୍ମୀଯୋର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରତାରେ ଏଭଳି କାଣ୍ଡ ଘଟିବା ଏବଂ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯିବା ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଏବଂ ସ୍ଥାନୀୟ ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ଘଟଣା ପରେ କ୍ୟାମ୍ପସରେ ଅସନ୍ତୋଷ ଓ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଛାତ୍ରସଂସଦ ଓ ସାଧାରଣ ଛାତ୍ରଛାତ୍ରୀ ଦାବି କରିଥିଲେ।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଲକ୍ଷ୍ମୀଯୋର ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଭାଇରାଲ ଭିଡିଓ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଚଢ଼ାଉ କରାଯାଇ ଆଜି ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ ସାହୁ ଏବଂ ସିତୁ ସ୍ୱାଇଁ। ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।

