ନବନିଯୁକ୍ତ ରାଜ୍ୟପାଳ ନିଜ ପଦର ଗାରିମା ରକ୍ଷା କରନ୍ତୁ, ନଚେତ୍ ଇସ୍ତଫା ଦିଅନ୍ତୁ: ନରସିଂହ ମିଶ୍ର ।
ବଲାଙ୍ଗିର,୧୮।୧୦: ରାଜ୍ୟପାଳ ପଦବୀ ହେଉଛି ଏକ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ। ଏହାର ମର୍ଯ୍ୟାଦା ଓ ଗାରିମା କ୍ଷୁଣ୍ଣ ହେବା ଅତ୍ୟନ୍ତ ଅଭିପ୍ରେତ ନୁହେଁ। ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ନିଜ ନାମ ଘୋଷଣା ହେବା ପରେ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ, ଅସାମ୍ବିଧାନିକ ଏବଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ନେତା ନରସିଂହ ମିଶ୍ର ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି।
ନରସିଂହ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ନବନିଯୁକ୍ତ ରାଜ୍ୟପାଳ ଓଡ଼ିଶା ଆସି ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଭୋଟ୍ ଯୋଗାଡ଼ କରିବେ ଏବଂ ଦଳକୁ ଆହୁରି ବଳଶାଳୀ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏକ ସାମ୍ବିଧାନିକ ଗରିମାମୟ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ମୁହଁରୁ ଏପରି ବକ୍ତବ୍ୟ ଆସିବା ଦ୍ୱାରା ବର୍ତ୍ତମାନ ରାଜ୍ୟପାଳଙ୍କ ନିରପେକ୍ଷତାକୁ ନେଇ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଓ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ବକ୍ତବ୍ୟ ଜନସ୍ୱାର୍ଥର ବିରୋଧୀ ଅଟେ।
ସେ କହିଛନ୍ତି ଯେ, ଯଦି ରାଜ୍ୟପାଳଙ୍କର ଦଳୀୟ କାମ କରିବାର ଅଛି, ତେବେ ସେ ସମ୍ବିଧାନକୁ ସମ୍ମାନ ଜଣାଇ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ଏବଂ ସକ୍ରିୟ ଦଳୀୟ ରାଜନୀତି କରନ୍ତୁ। ସାମ୍ବିଧାନିକ ପଦବୀରେ ରହି ଦଳୀୟ ଅଭିମୁଖ୍ୟ ପୋଷଣ କରିବା ଆଦୌ ଗ୍ରହଣୀୟ ନୁହେଁ।
ଏହି ସନ୍ଦର୍ଭରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶାସନ କାଳକୁ ମନେ ପକାଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଗଣେଶୀ ଲାଲ ଜଣେ ପ୍ରଖ୍ୟାତ ବାଗ୍ମୀ, ପଣ୍ଡିତ ଏବଂ ନିରପେକ୍ଷ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଶାସନ ପରିଚାଳନା ଦକ୍ଷତା ଓ ନିରପେକ୍ଷତା ରାଜ୍ୟର ସମସ୍ତ ରାଜନୈତିକ ଦଳ ତଥା ସର୍ବସାଧାରଣଙ୍କ ନିକଟରେ ଗ୍ରହଣୀୟ ହୋଇପାରିଥିଲା। ବର୍ତ୍ତମାନର ନବନିଯୁକ୍ତ ରାଜ୍ୟପାଳ ତାଙ୍କଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି।
ଶେଷରେ, ରାଜ୍ୟପାଳ ନିଜର ଦଳୀୟ ଅଭିମୁଖ୍ୟକୁ ପରିହାର କରି ରାଜନୀତିରୁ ଊର୍ଦ୍ଧ୍ୱରେ ରୁହନ୍ତୁ ଏବଂ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି।

