Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନିକ ଖାମଖିଆଲି ଓ ଚିକିତ୍ସାରେ ଚରମ ଅବହେଳା: ବୁଲା କୁକୁର କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ଉତ୍ତେଜନା

ଜମନକିରା: ପ୍ରଶାସନର ଚରମ ଉଦାସୀନତା ଏବଂ ଚିକିତ୍ସାରେ ଭୟଙ୍କର ତ୍ରୁଟି ଯୋଗୁଁ ବୁଲା କୁକୁର କାମୁଡ଼ାରେ ଜଳାତଙ୍କ ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଗ୍ରାମର ସୁଶାନ୍ତ ନାଥ ଶର୍ମା ଓରଫ ସୂରୁ ଙ୍କୁ ଗତ ଅଗଷ୍ଟ ୧୬ ତାରିଖରେ ଏକ ହିଂସ୍ର ବୁଲା କୁକୁର ମୁହଁ ଓ ନାକକୁ ଅତି ବିଭତ୍ସ ଭାବେ କାମୁଡ଼ି କ୍ଷତବିକ୍ଷତ କରିଦେଇଥିଲା। ଘଟଣା ପରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ପ୍ରଥମ ଦିନ କେବଳ ଟିଟାନସ ଇଞ୍ଜେକ୍ସନ ଦେଇ ଛାଡ଼ି ଦିଆଯାଇଥିଲା ଏବଂ କୁକୁର କାମୁଡ଼ିବାର ପ୍ରାୟ ୨୦ ଘଣ୍ଟା ପରେ ଯାଇ ଆଣ୍ଟି-ରାବିସ୍ ଭ୍ୟାକ୍ସିନ ଦିଆଯାଇଥିଲା। ଏହାପରେ ଏକ ଘରୋଇ ନର୍ସିଂହୋମରେ ଡାକ୍ତରୀ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରି, କୁକୁର କାମୁଡ଼ା ଖୋଲା ଘା’କୁ ଶୁଖିବାକୁ ନଦେଇ ତରବରିଆ ଭାବେ ପ୍ଲାଷ୍ଟିକ୍ ସର୍ଜରୀ ସହ ଷ୍ଟିଚ୍ ପକାଇ ବନ୍ଦ କରିଦିଆଯାଇଥିଲା। ଏହି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ବିଳମ୍ବିତ ଟିକାକରଣ ଯୋଗୁଁ ଭୂତାଣୁ ସିଧାସଳଖ ଶରୀରରେ ବ୍ୟାପି ଯାଇଥିଲା, ଯାହା ଫଳରେ କିଛି ଦିନ ପରେ ସୁଶାନ୍ତଙ୍କ ଶରୀରରେ ଜଳାତଙ୍କର ସାଂଘାତିକ ଲକ୍ଷଣ ଦେଖାଦେଇଥିଲା ଏବଂ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କରୁଣ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ, ସମ୍ବଲପୁର ମହାନଗର ନିଗମ ସହରରୁ ବୁଲା କୁକୁରଙ୍କୁ ଧରି ରାତିଅଧିଆ ଗ୍ରାମାଞ୍ଚଳରେ ଛାଡ଼ି ଦେଉଥିବାରୁ ଏଭଳି ଆକ୍ରମଣ ବଢ଼ୁଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ଦାୟିତ୍ୱହୀନ ଡାକ୍ତରଖାନା ତଥା ପ୍ରଶାସନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories