Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ପାରମ୍ପରିକ ନାଗବାଚା ପୂଜା ପର୍ବ ଅନୁଷ୍ଠିତ: କଦଳୀମୁଣ୍ଡା ଓ ବଲବସପୁରରେ ଭକ୍ତିପୂର୍ଣ୍ଣ ପରିବେଶରେ ବରୁଆ ପରିକ୍ରମା ସହ ପୂଜାର୍ଚ୍ଚନା ସମ୍ପନ୍ନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଅନ୍ତର୍ଗତ କଦଳୀମୁଣ୍ଡା ଏବଂ ବଲବସପୁର ଠାରେ ଆଜି ପାରମ୍ପରିକ ତଥା ଲୋକ ବିଶ୍ୱାସର ପ୍ରତୀକ ‘ନାଗବାଚା’ ପୂଜା ପର୍ବ ଭକ୍ତିପୂତ ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସର୍ପଦଂଶନ, ବିଛା କାମୁଡ଼ା ତଥା ବିଭିନ୍ନ ବିଷାକ୍ତ କୀଟପତଙ୍ଗଙ୍କ ଦାଉରୁ ରକ୍ଷା ପାଇବା ଏବଂ ଏହାର ପାରମ୍ପରିକ ଉପଚାର ବିଦ୍ୟାକୁ ଉଜ୍ଜୀବିତ ରଖିବା ପାଇଁ ଏହି ବାର୍ଷିକ ପୂଜା ପର୍ବ ଅନୁଷ୍ଠିତ ହୋଇଥିଲା।
ଗୁରୁ ସୁନୀଲ ପଧାନଙ୍କ ପୌରୋହିତ୍ୟରେ ଏହି ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ସ୍ଥାନୀୟ ବନ୍ଧରୁ ଘାଟପୂଜା କରାଯିବା ପରେ ବ୍ରତଧାରୀମାନେ ଶୋଭାଯାତ୍ରାରେ ଆସି ଗୁଡ଼ି ଘର ପ୍ରାଙ୍ଗଣରେ ପହଞ୍ଚିଥିଲେ। ସେଠାରେ ପଞ୍ଚ ଉପଚାରରେ ଦେବାରାଧନା କରାଯାଇଥିଲା। ଏହାପରେ ପ୍ରଭୁ ମହାଦେବ, ଭୈରବ (ଭୈରୋ) ଓ ହନୁମାନଙ୍କ ସମେତ ବିଭିନ୍ନ ଦେବାଦେବୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ପରେ ବରୁଆମାନେ ନୃତ୍ୟ ବାଦ୍ୟର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ ଏବଂ ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇଥିଲେ। ଶେଷରେ କୋଠିଶାଳରେ ନୀତିକାନ୍ତି ପୂର୍ବକ ପୂଜା ସମାପନ କରାଯାଇଥିଲା। ଅନୁରୂପ ଭାବେ ବଲବସପୁରରେ ଆୟୋଜିତ ଏହି ନାଗବାଚା ପୂଜାରେ ଶତାଧିକ ଶ୍ରଦ୍ଧାଳୁ, ବ୍ରତଧାରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ସମଗ୍ର ଅଞ୍ଚଳରେ ଲୋକକଳା, ବାଦ୍ୟ ଓ ଆଧ୍ୟାତ୍ମିକ ଉତ୍ସାହ ସହିତ ଏହି ପର୍ବ ସଫଳତାର ସହ ଉଦ୍‌ଯାପିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories