ଅସମ୍ପୂର୍ଣ୍ଣ ଗୁଲୁଜିପାଲି ପୋଲ ପାଲଟିଛି ‘ମରଣଯନ୍ତା’: ବାଇକ୍ ଆରୋହୀ ଗୁରୁତର, ବିଭାଗୀୟ ଅବହେଳା ବିରୋଧରେ ଜନଅସନ୍ତୋଷ
ଜମନକିରା : ନିର୍ମାଣ ବିଭାଗର ଚରମ ଅବହେଳା ଓ ଉଦାସୀନତା ଯୋଗୁଁ ସମ୍ବଲପୁର ଜିଲ୍ଲାର ଲାଉଡ଼-ଫାଶୀମାଲ ମୁଖ୍ୟ ରାସ୍ତା ଏବେ ମରଣଫାନ୍ଦରେ ପରିଣତ ହୋଇଛି। ଗୁଲୁଜିପାଲିଠାରେ ନିର୍ମାଣାଧୀନ ନୂତନ ପୋଲ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବେଳେ ଆଜି ଏକ ଭୟାବହ ଦୁର୍ଘଟଣା ଘଟି ଜଣେ ମୋଟରସାଇକେଲ ଆରୋହୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନାନୁସାରେ, ଗୁଲୁଜିପାଲି ପୋଲ ନିର୍ମାଣ ସହିତ ସଂଯୋଗକାରୀ ରାସ୍ତାର ମାଟି କାର୍ଯ୍ୟ ଯଥାବିଧି କରାଯାଇ ନ ଥିଲା। ସାମାନ୍ୟ ବର୍ଷାରେ ମାଟି ଧୋଇହୋଇ ଧସିଯିବା ଫଳରେ ପୋଲଟି ଅସ୍ୱାଭାବିକ ଭାବେ ଉଚ୍ଚା ଏବଂ ସଂଯୋଗୀକରଣ ରାସ୍ତା ତଳୁଆ ହୋଇ ରହିଛି। ରାସ୍ତାର ଉଚ୍ଚ-ନୀଚ ସନ୍ତୁଳନ ନ ଥିବାରୁ ଦୈନନ୍ଦିନ ଯାତାୟାତ କରୁଥିବା ଗାଡ଼ିଚାଳକ ତଥା ପଥଚାରୀମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସ୍ଥାନରେ ପୂର୍ବରୁ ମଧ୍ୟ ଏକାଧିକ ଦୁର୍ଘଟଣା ଘଟିସାରିଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଯେପର୍ଯ୍ୟନ୍ତ ନୂତନ ପୋଲ ଏବଂ ସଂଯୋଗକାରୀ ରାସ୍ତା ସମ୍ପୂର୍ଣ୍ଣ ନିରାପଦ ନ ହୋଇଛି, ସେପର୍ଯ୍ୟନ୍ତ ପୁରୁଣା ରାସ୍ତା ଦେଇ ଯାତାୟାତ ପାଇଁ ବ୍ୟବସ୍ଥା କରାଯିବା ଉଚିତ ଥିଲା। ମାତ୍ର କୌଣସି ସତର୍କତା ସୂଚକ ଫଳକ କିମ୍ବା ବ୍ୟାରିକେଡ୍ ବିନା ଅସମ୍ପୂର୍ଣ୍ଣ ରାସ୍ତାରେ ଯାତାୟାତ ଛାଡ଼ିଦେଇ ପ୍ରଶାସନ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ଏହି ପୋଲ କାର୍ଯ୍ୟ ଶେଷ କରି ରାସ୍ତାକୁ ପୂର୍ଣ୍ଣାଙ୍ଗ ଯାତାୟାତ ଉପଯୋଗୀ ନ କଲେ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ିଉଠିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

