କାଲଚିପୋଡାଡ଼ିହିରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ ପର୍ବକୁନି କୁନି ପ୍ରତିଭା ଓ କୃତୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଜମନକିରା : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ସୋଡ଼ ଗ୍ରାମ ପଞ୍ଚାୟତର କାଲଚି ପୋଡାଡ଼ିହି ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜା ଏବଂ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ ଭେଟଘାଟ’ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ।
ଏହି ଅବସରରେ ଗ୍ରାମର ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଗୀତ, ନୃତ୍ୟ ଏବଂ ହାସ୍ୟ-ଅଭିନୟ (କମେଡି) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୁନି କୁନି ପ୍ରତିଯୋଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଦୟାନିଧି ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭିକାରି ବେନିଆଁ, ହେମନ୍ତ ସୋହେଲା ଓ ଛତୁ କଲେତ ଉପସ୍ଥିତ ଥିଲେ। ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା ଗ୍ରାମର ପ୍ରତିଭା ସମ୍ମାନ। ଚଳିତ ବର୍ଷ ନୂତନ ଭାବେ ସରକାରୀ ଚାକିରି ପାଇ ଗ୍ରାମ ତଥା ଅଞ୍ଚଳ ପାଇଁ ଗୌରବ ଆଣିଥିବା ସୁନ୍ଦର କୁଜୁର, ସୁବୋଧ ରାଜହଂସ ଓ ପ୍ରକାଶ ଲାକ୍ରାଙ୍କୁ କମିଟି ପକ୍ଷରୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଓ ନୂଆଁଖାଇ ଭେଟଘାଟ ଆୟୋଜନକୁ ସଫଳ କରିବାରେ କ୍ଷୀରୋଦ ରାଜହଂସ, ସୋନୁ ମିଂଜ଼, ପ୍ରଦୀପ ଲାକ୍ରାଙ୍କ ସମେତ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ବିଶେଷ ସହଯୋଗ କରିଥିଲେ। ଶେଷରେ ସାମୂହିକ ଭେଟଘାଟ ସହ ପରସ୍ପରକୁ ଜୁହାର ଓ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

