Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦସଙ୍କୁଳ ଅବସ୍ଥାରେ କେନାଢ଼ିପା ଉନ୍ନୀତ ଉଚ୍ଚ ବିଦ୍ୟାଳୟ: ୫-ଟି ରୂପାନ୍ତରଣର ଅସଲ ମୁଖା ଖୋଲିଲା, ‘ଭିଭିଜି ରାମଜୀ’ ଯୋଜନାରେ ସୁଧାର ପ୍ରତିଶ୍ରୁତି ଦେଲେ ଡିଇଓ

ଜମନକିରା :
* ୫୭ ବର୍ଷର ପୁରାତନ ସ୍କୁଲରେ ୧୩ ଶ୍ରେଣୀ ପାଇଁ ରହିଛି ମାତ୍ର ୭ କୋଠରୀ
* ପ୍ରାଥମିକ ଶ୍ରେଣୀରେ ନାହାନ୍ତି ଶିକ୍ଷକ, ଭଙ୍ଗା ସିଲିଂ ତଳେ ୩୨୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
* ଅଭିଯୋଗ ପରେ ପ୍ରଶାସନ ତତ୍ପର: ଖୁବଶୀଘ୍ର ସମାଧାନ ହେବ ବୋଲି ଶିକ୍ଷା ବିଭାଗର ପ୍ରତିଶ୍ରୁତି

ଜମନକିରା,୧୭/୯: (ରବୀନ୍ଦ୍ର ପ୍ରସାଦ ଦାନୀ):
ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ସ୍କୁଲ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ ଏହାର ବାସ୍ତବତା କିଛି ଭିନ୍ନ ଚିତ୍ର ବୟାନ କରୁଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଐତିହାସିକ କେନାଢ଼ିପା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। ୧୯୬୯ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଚଳିତ ବର୍ଷ ଗୌରବମୟ ୫୭ ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ଆଜି ଏହା ଘୋର ଅବହେଳା, ଭିତ୍ତିଭୂମିର ଅଭାବ ଓ ଶିକ୍ଷକ ସଙ୍କଟ ମଧ୍ୟରେ ଧୁକୁଧୁକୁ ହୋଇ ଚାଲିଛି। ୫-ଟି ରୂପାନ୍ତରଣ ନାମରେ ଏଠାରେ ଯାହା କାର୍ଯ୍ୟ ହୋଇଥିଲା, ତାହା କେବଳ ‘ଉପର ଚିକ୍କଣ ଭିତର ପୁଲା’ ସଦୃଶ ସାବ୍ୟସ୍ତ ହୋଇଛି।
୧୩ଟି ଶ୍ରେଣୀ, ମାତ୍ର ୭ଟି କୋଠରୀ
ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩ଟି ଶ୍ରେଣୀରେ ୩୨୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିରୁ ୭୭ ଜଣ ଛାତ୍ରଛାତ୍ରୀ ସ୍କୁଲ ହଷ୍ଟେଲରେ ରହୁଛନ୍ତି। ନିୟମ ଅନୁସାରେ ୧୩ଟି ଶ୍ରେଣୀ ପାଇଁ ଅତିକମରେ ୧୩ଟି ଶ୍ରେଣୀଗୃହ ଆବଶ୍ୟକ ଥିବା ବେଳେ ଏଠାରେ ରହିଛି ମାତ୍ର ୭ଟି କୋଠରୀ। ଫଳରେ ଅଧିକାଂଶ କ୍ଲାସକୁ ମିଶାଇ ଗୋଟିଏ ଗୋଟିଏ କୋଠରୀରେ ବସାଯାଉଛି। କୋଠରୀଗୁଡ଼ିକର ଟିଣ ଛାତ ଅତି ତଳେ ଥିବାରୁ ଏହି ପ୍ରଚଣ୍ଡ ଖରାରେ ଅସହ୍ୟ ଗରମ ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବସିବାକୁ ବାଧ୍ୟ ହେଉଛନ୍ତି।
ଭାଙ୍ଗି ପଡୁଛି ସିଲିଂ, ଚଟାଣରେ ମେଞ୍ଚା ମେଞ୍ଚା ଖାଲ
ବିଦ୍ୟାଳୟର ସ୍ଥିତି ଏବେ ଅତ୍ୟନ୍ତ ବିପଦସଙ୍କୁଳ। ବର୍ଷା ଦିନେ ସବୁ କୋଠରୀରୁ ପାଣି ଗଳୁଥିବାରୁ କାନ୍ଥଗୁଡ଼ିକ ସନ୍ତସନ୍ତିଆ ହୋଇ ନଷ୍ଟ ହୋଇଯାଇଛି। ସିଲିଂଗୁଡ଼ିକ ଖସିପଡ଼ିଥିବା ବେଳେ ତଳ ଚଟାଣ ଫାଟି ଖାଲଖମାରେ ପରିଣତ ହୋଇଛି। ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ଘଟି କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଘାରିଛି।
ପ୍ରାଥମିକରେ ନାହାନ୍ତି ଶିକ୍ଷକ
ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ମୋଟ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଶିକ୍ଷାର ମୂଳଦୁଆ କୁହାଯାଉଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଜଣେ ହେଲେ ବି ନିର୍ଦ୍ଦିଷ୍ଟ ଶିକ୍ଷକ ନାହାନ୍ତି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। କୋଠରୀ ଓ ଶିକ୍ଷକ ଅଭାବ ଯୋଗୁଁ ଛୋଟ ପିଲାମାନେ ଚଟାଣରେ ଦରି ପାରି ବସି କଷ୍ଟେମଷ୍ଟେ ଶିକ୍ଷା ଗ୍ରହଣ କରୁଛନ୍ତି।
ଶୌଚାଳୟ ଅବ୍ୟବହୃତ, ପାନୀୟ ଜଳ ସଙ୍କଟ
ସ୍କୁଲର ମୌଳିକ ସୁବିଧାଗୁଡ଼ିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଛାତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟର କବାଟ ଭାଙ୍ଗି ଚୂରମାର ହୋଇଯାଇଛି ଏବଂ ଅପରିଷ୍କାର ପରିବେଶ ଯୋଗୁଁ ଏହା ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ପାନୀୟ ଜଳର ମଧ୍ୟ ଘୋର ସଙ୍କଟ ରହିଛି। ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରୋଷେଇ ଘରଟି ଏକ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଛି, ଯେଉଁଠାରେ ଅତ୍ୟନ୍ତ ଅସୁବିଧାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି। ଚାରିପାଖର ସୁରକ୍ଷା ପ୍ରାଚୀର (ବାଉଣ୍ଡରୀ) ଭାଙ୍ଗି ଯାଇଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ବଢ଼ୁଥିବା ବେଳେ ସ୍କୁଲ ହତା ଅଳିଆ ଆବର୍ଜନାରେ ଭରି ରହିଛି।
କ୍ଷୋଭ ପ୍ରକାଶ କଲେ କମିଟି ଓ ପ୍ରଧାନ ଶିକ୍ଷକ
ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ମାଝୀ ଓ ଉପ-ସଭାପତି ଅନ୍ନପୂର୍ଣ୍ଣା ଭାଟ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବିଦ୍ୟାଳୟର ଏହି ଦୁର୍ଦ୍ଦଶା ସମ୍ପର୍କରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଭାବେ ଅବଗତ କରାଯାଇଥିଲେ ସୁଦ୍ଧା ପ୍ରଶାସନ ସମ୍ପୂର୍ଣ୍ଣ କର୍ଣ୍ଣପାତ କରୁନାହିଁ। ସ୍କୁଲର ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ପଣ୍ଡା ମଧ୍ୟ ଏହି ସବୁ ସମସ୍ୟା କାରଣରୁ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
ପ୍ରଶାସନର ପ୍ରତିକ୍ରିୟା: ‘ଭିଭିଜି ରାମଜୀ’ ଯୋଜନାରେ ହେବ ସମାଧାନ
ଏହି ସମ୍ବେଦନଶୀଳ ସମସ୍ୟା ସମ୍ପର୍କରେ ଜମନକିରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଦେବକୀ ନାଏକ ଏବଂ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରି ପଚାରିବାରୁ ସେମାନେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ଭୋଇ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ରହିଛି। ‘ଭିଭିଜି ରାମଜୀ’ ଯୋଜନା ଅଧୀନରେ ବିଦ୍ୟାଳୟର ସମସ୍ତ ଭିତ୍ତିଭୂମି ସମସ୍ୟା, ଅତିରିକ୍ତ ଶ୍ରେଣୀଗୃହ, ଶୌଚାଳୟ ମରାମତି ଓ ଅନ୍ୟାନ୍ୟ ଅଭାବ ଅସୁବିଧାକୁ ଖୁବଶୀଘ୍ର ସୁଧାରି ସମାଧାନ ଓ ଶିକ୍ଷକ ନିଯୁକ୍ତି ଶୀଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ। ପ୍ରଶାସନ ପକ୍ଷରୁ ଏହି ପ୍ରତିଶ୍ରୁତି ମିଳିଥିଲେ ହେଁ ତାହା କେବେ କାର୍ଯ୍ୟକାରୀ ହେଉଛି ଏବଂ କେବେ ଏହି ୩୨୪ କୋମଳମତି ପିଲା ଏକ ସୁରକ୍ଷିତ ପରିବେଶରେ ପାଠ ପଢ଼ିପାରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories