Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶୀମାଲରେ ନୂଆଁଖାଇ ଭେଟଘାଟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ରେଙ୍ଗାଲି ଜୟଦୁର୍ଗା କ୍ଲବ ଚାମ୍ପିଅନ୍

ଜମନକିରା : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଓ ଭାଇଚାରାର ପ୍ରତୀକ ‘ନୂଆଁଖାଇ ଭେଟଘାଟ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଫାଶୀମାଲ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସଦଭାବନାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରେଙ୍ଗାଲି ଜୟଦୁର୍ଗା କ୍ଲବ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଛି।
ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଆଗଧାଡ଼ିର ଦଳଗୁଡ଼ିକ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ ମ୍ୟାଚରେ ରେଙ୍ଗାଲି ଜୟଦୁର୍ଗା କ୍ଲବ ଓ କୁମୁରା ବ୍ରଦର୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ରେଙ୍ଗାଲି ଜୟଦୁର୍ଗା କ୍ଲବ ବିଜୟୀ ହୋଇଥିବା ବେଳେ କୁମୁରା ବ୍ରଦର୍ସ ଉପବିଜେତା ଆଖ୍ୟା ଅର୍ଜନ କରିଥିଲା।
ଖେଳ ଶେଷରେ ଆୟୋଜିତ ଭବ୍ୟ ପୁରସ୍କାର ବିତରଣୀ ଉତ୍ସବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କେଦାରନାଥ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଫାଶୀମାଲ ସରପଞ୍ଚ ମାଧବୀଲତା ବରିହା ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଅତିଥିମାନେ ବିଜେତା ରେଙ୍ଗାଲି ଜୟଦୁର୍ଗା କ୍ଲବକୁ ଚାମ୍ପିଅନ୍ସ ଟ୍ରଫି ସହ ନଗଦ ୨୫ ହଜାର ଟଙ୍କା ଏବଂ ଉପବିଜେତା କୁମୁରା ବ୍ରଦର୍ସ ଦଳକୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।
ନୂଆଁଖାଇ ଭେଟଘାଟ ଭଳି ପାରମ୍ପରିକ ପର୍ବରେ ଏପରି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ସହ ପାରସ୍ପରିକ ଏକତାକୁ ସୁଦୃଢ଼ କରିବାରେ ବେଶ୍ ସହାୟକ ହେବ ବୋଲି ଅତିଥି ଓ ଆୟୋଜକ ମଣ୍ଡଳୀ ମତ ପ୍ରକାଶ କରିଥିଲେ। ସ୍ଥାନୀୟ କ୍ରୀଡ଼ାପ୍ରେମୀ ତଥା ଦର୍ଶକଙ୍କ ଉପସ୍ଥିତିରେ ଖେଳ ପଡ଼ିଆରେ ଉତ୍ସାହର ଲହରୀ ଖେଳିଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories