ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି; କଦଳୀପାଲରେ ଝଡ଼ ତୋଫାନରେ ଭାଙ୍ଗିଲା ସୁନୀଲ ଲାମଗାଙ୍କ ଘର
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତର କଦଳୀପାଲ ଗ୍ରାମରେ କାଳବୈଶାଖୀ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଶନିବାର ଅପରାହ୍ନ ସାଢ଼େ ୩ ଟା ସମୟରେ ପ୍ରବଳ ବେଗରେ ବହିଥିବା ଝଡ଼ ପବନ ଓ ବର୍ଷା ଫଳରେ କଦଳୀପାଲ ଗ୍ରାମର ସୁନୀଲ ଲାମଗାଙ୍କ ଘର ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ଏହି ଅଘଟଣରେ ଘରର ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ଘର ଭିତରେ ଥିବା ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଏଥିରୁ ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ପାୱାର କଟର ସାହାଯ୍ୟରେ ଗଛର ଡାଳ ଓ ଗଣ୍ଡିକୁ କାଟି ଘର ଉପରୁ ହଟାଇବା ସହ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିଥିଲେ। ଝଡ଼ ତୋଫାନ ଯୋଗୁଁ ସୁନୀଲ ଲାମଗାଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ପରିବାରଟି ବାସହୀନ ହୋଇପଡ଼ିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ତଥା ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

