ରାସ୍ତା ମଝିରେ ନଳକୂପ, ବଢୁଛି ଦୁର୍ଘଟଣାର ଭୟ


ବେଲଗୁଣ୍ଠା: ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂଅ I ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ନଳକୂଅକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଆନ୍ତରିକତା ପ୍ରକାଶ ପାଉନଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଉଢୁରା ପଂଚାୟତର ନୂଆଁ କୋକଲୁଣ୍ଡା ରାସ୍ତାରେ I କୋକଲୁଣ୍ଡା ଛକରୁ ରାଜନପଲ୍ଲୀ ରାସ୍ତାରେ ଏକ କିଲୋମିଟର ଗଲେ ପଡେ ନୂଆଁ କୋକଲୁଣ୍ଡା I ନୂଆଁ କୋକଲୁଣ୍ଡାର ଗାଆଁ ମୁହଁରେ ମଝି ରାସ୍ତାରେ ଛିଡ଼ା ହୋଇଛି ଏକ ନଳକୂପ I ଏହି ରାସ୍ତାଟି ନୂଆଁ କୋକଲୁଣ୍ଡା ଦେଇ ରାଜନପଲ୍ଲୀ,ଦାନକିଆରୀ,କନ୍ଧପଲ୍ଲୀ,ଡୁବୁଡୁବା ସାହି ଦେଇ ପ୍ରତାପୁର ପର୍ଯ୍ୟନ୍ତ ଲମ୍ବିଛି I ଏଠାରେ ମଧ୍ଯ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋ ଖତ ପ୍ଲାଣ୍ଟ୍ ରହିଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଗାଡ଼ି ଯାତାୟତ କରିଥାଏ I କିନ୍ତୁ ନଳକୂଅଟି ରାସ୍ତାର ମଝିରେ ରହିଥିବାରୁ ଗାଡ଼ି ଗୁଡ଼ିକ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି I

ଏପରିକି ବେଳେ ବେଳେ ଛୋଟବଡ଼ ଦୁର୍ଘଟଣାର ମଧ୍ୟ ସାମନା କରିଥାନ୍ତି I ବିଶେଷ କରି ସନ୍ଧ୍ୟା ସମୟରେ ଚାଲିକରି ଯାଉଥିବା ଏବଂ ସାଇକେଲ୍ ରେ ଯାଉଥିବା ବ୍ୟକ୍ତିମାନେ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ମେଡ଼ିକାଲ୍ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ନଜିର ରହିଛି I ଗତବର୍ଷ ମୋଟରସାଇକେଲ୍ ରେ ବାଙ୍କତରା ଗ୍ରାମର ଦୁଇଜଣ ବ୍ୟକ୍ତି ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍ ରେ ଭର୍ତ୍ତି ହୋଇ ସେଠାରେ ମାସାଧିକ କାଳ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ I ଏମିତି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗତ ବାର ବର୍ଷ ମଧ୍ୟରେ ନଳକୂଅଟିକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଏବଂ ପଂଚାୟତ ପ୍ରତିନିଧିମାନଙ୍କ ପକ୍ଷରୁ ସତର ଥର ଅଭିଯୋଗ କରାଯାଇଥିଲେ ଏହାକୁ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଏହା ସହିତ ବେଲଗୁଣ୍ଠା ବ୍ଳକ୍ ରେ ବିଭିନ୍ନ ସ୍ଥାନରେ ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଫୋନ୍ ଉଠାଉନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି I ତେଣୁ ତୁରନ୍ତ ଏହି ସମସ୍ୟା ଗୁଡ଼ିକର ସମାଧାନ କରି ଅଚଳ ନଳକୂପ ଗୁଡ଼ିକୁ ସଚଳ କରିବା ସହ ରାସ୍ତା ମଝିରେ ଥିବା ନଳକୂଅଟିକୁ ରାସ୍ତାକଡ଼କୁ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସରିତା ପତିଙ୍କୁ ଯୋଗାଯୋଗ କରିବାରେ ସେ ଏନେଇ କୌଣସି ଅଭିଯୋଗ ତାଙ୍କ ନଜରକୁ ଆସିନଥିବା କହି ଘଟଣାକୁ ଏଡାଇଯିବାକୁ ଚେଷ୍ଟା କରୁଛନ୍ତି । ବିଡ଼ିଓ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଂଚଳ ବାସୀ ନିବେଦନ କରିଛନ୍ତି I