କପା କ୍ଷେତକୁ ଯାଉଥିଲେ, ଦଳିଦେଲା ଜଙ୍ଗଲୀ ହାତୀ
କଳାହାଣ୍ଡି,୨୬/୦୯-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ବିଜେପୁର ସେକ୍ସନ ତଥା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ବେତିଆପଡ଼ା ଗାଁରେ ଆଜି ସକାଳୁ ଘଟିଛି ଏକ ଅଘଟଣ। ନିଜର କପା କ୍ଷେତକୁ ଯାଉଥିବାବେଳେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବେତିଆପଡ଼ା ଗାଁର ଡ୍ରିମ୍ବା ମାଝୀ(୪୫) ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ ଅତିରିକ୍ତ ବନ ସଂରକ୍ଷକ ନରୋତ୍ତମ ମାଝୀ, ବିଜେପୁର ବନପାଳ ସମରେନ୍ଦ୍ର ପଣ୍ଡା ପହଞ୍ଚିଥିବାବେଳେ ବିଜେପୁର ପୁଲିସ ପକ୍ଷରୁ ଥାନାଧିକାରୀ ତୁଳସୀରାମ ଶବର, ଏଏସଆଇ ଶ୍ୟାମ କୁଲିସିକା ଓ ମୂଷାନାଳ ରାଜସ୍ୱ ନିରୀକ୍ଷକ ନରେନ୍ଦ୍ର ପ୍ରଧାନ ପହଞ୍ଚି ତଦନ୍ତ କରିଥିଲେ । ଏନେଇ ବିଜେପୁର ଥାନା କେସ ନଂ ୦୭/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଥିବାବେଳେ ବିଭିନ୍ନ ସମୟରେ ଧନଜୀବନ ହାନୀ ହେଉଛି। ଏଣୁ ବନବିଭାଗ ପକ୍ଷରୁ ଉପଯୁକ୍ତ ତଦନ୍ତ ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

