କୋରିୟର ଗୋଦାମରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ
କଳାହାଣ୍ଡି,୨୭/୦୯- ଅନଲାଇନ ଯୋଗେ ଘରେ ବସି ନିଜ ଆବଶ୍ୟକ ସାମଗ୍ରୀ ମଗାଇବାର ଉପାୟକୁ ଏଥର ବ୍ୟବହାର କରିଛନ୍ତି ଗଞ୍ଜେଇ ମାଫିଆମାନେ। ୩୨ଗୋଟି ମାଛପେଟିରେ ପ୍ରାୟ ୪ କ୍ୱିଣ୍ଟାଲ ଗଞ୍ଜେଇକୁ କୋରିୟର ଯୋଗେ ଚୋରାଚାଲାଣ କରାଯାଉଥିବାବେଳେ ପେଟି ଉପରେ ଉତ୍ତରପ୍ରଦେଶ ରାଜ୍ୟ ବୁଲନ୍ଦସହର ଖୁର୍ଜାର ଅତିରିକ୍ତ ଜିଲ୍ଲା ଜଜଙ୍କ ଠିକଣା ଉଲ୍ଲେଖ ରହିଛି। ତେବେ କଳାହାଣ୍ଡି ଅବକାରୀ ବିଭାଗ ଆଜି ଏକ କୋରିୟର ଗୋଦାମରେ ଚଢ଼ାଉ କରି ୩୨ଟି ସୋଲ ପେଟିରୁ ପ୍ରାୟ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରାଚାଲାଣରେ ଏକ ବଡ଼ଧରଣର ରେକେଟ କାମ କରୁଥିବା ସନ୍ଦେହ କରାଯାଉଥିବାବେଳେ ଉପଯୁକ୍ତ ତଦନ୍ତ ସହିତ ଏହି ଆନ୍ତରାଜ୍ୟ ନେଟୱାର୍କର ଅନ୍ତ ଘଟାଇବାକୁ ସାଧାରଣରେ ଦାବି ହେଉଛି।

