ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ମାରାଥନ ଦୌଡ଼ ପ୍ରତିଯୋଗିତା
କଳାହାଣ୍ଡି,୨୭/୦୯-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ପ୍ରଚାର, ପ୍ରସାର ଓ ଯୁବବର୍ଗ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଭବାନୀପାଟଣାଠାରେ ୫ କିମି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା କ୍ରୀଡା ଅଧିକାରୀ ସନାତନ ମହାରଣା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମାରାଥନ ଦୌଡ଼ ପ୍ରତିଯୋଗିତା ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇ ବିନାୟକ କଲେଜ ଦେଇ ପୁଣି ବିଶ୍ୱ ବିଦ୍ୟାଳୟ ପଡ଼ିଆରେ ଶେଷ ହୋଇଥିଲା। ଏଥିରେ ୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥବାବେଳେ ପୁରୁଷ ବର୍ଗରେ ରବି ନାଏକ ପ୍ରଥମ, ଧର୍ମେନ୍ଦ୍ର ସୁନା ଦ୍ଵିତୀୟ ଓ ଦୀନେଶ ଭାଟି ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ। ସେହିପରି ମହିଳା ବର୍ଗରେ ହେମପ୍ରଭା ମାଝୀ, ମେହେକ ଦୁର୍ଗା ଓ ବିଳାସିନୀ ଭୋଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

