Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା କୀର୍ତ୍ତନ ଗାୟିକା ଜସ୍ମିନ ମାଝୀ ମୃତ୍ୟୁ ଘଟଣା: ନିଜ ପ୍ରେମିକଙ୍କ ମୃତ୍ୟୁ ସହି ନପାରି ଏସିଡ୍ ପିଇ ଦେଇଥିଲେ ଜସ୍ମିନ୍‌ !

ବଲାଙ୍ଗୀର,୨୮।୯: ବଲାଙ୍ଗୀର ଜିଲ୍ଲାର କଳା ଓ ସଂସ୍କୃତି ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାତ୍ର ୨୪ ଘଣ୍ଟାର ବ୍ୟବଧାନରେ ଦୁଇଜଣ ଉଦୀୟମାନ ଯୁବ କଳାକାରଙ୍କ ଅକାଳ ବିୟୋଗ ଘଟିଛି। ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା କୀର୍ତ୍ତନ ଗାୟିକା ଜସ୍ମିନ ମାଝୀ ଏବଂ ପ୍ରସିଦ୍ଧ ଯୁବ ନୃତ୍ୟଶିଳ୍ପୀ ପ୍ରେମ ମେହେରଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳ ସମେତ କଳାପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।
ଜସ୍ମିନଙ୍କ ମୃତ୍ୟୁର ଠିକ୍ ଦିନକ ପୂର୍ବରୁ ଖପ୍ରାଖୋଲ ଅଞ୍ଚଳର ପରିଚିତ ଯୁବ ନୃତ୍ୟଶିଳ୍ପୀ ପ୍ରେମ ମେହେର (୨୨)ଙ୍କର ପରଲୋକ ଘଟିଥିଲା।
ନାନ୍ଦୁପଲା ପଞ୍ଚାୟତ ତାମ୍ପିପଦର ଗ୍ରାମର ସାଧୁ ମେହେର ଓ ଅହଲ୍ୟା ମେହେରଙ୍କ ଏକମାତ୍ର ପୁଅ ପ୍ରେମ ନିଜର ଅସାଧାରଣ ନୃତ୍ୟ ଶୈଳୀ ପାଇଁ ସମଗ୍ର ଓଡ଼ିଶାରେ ବେଶ୍ ଆଦୃତ ଥିଲେ।
ମୃତ୍ୟୁର କାରଣ ହୃଦଘାତ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶେଷ ସମୟରେ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି।
ରବିବାର ଦିନ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଘୁଚାପାଲି ଗ୍ରାମର କୀର୍ତ୍ତନ ଗାୟିକା ତଥା ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ (୨୨)ଙ୍କର ବୁର୍ଲା ଭୀମସାର (VIMSAR) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଜସ୍ମିନ୍ ଜଣେ ସୁନାମଧନ୍ୟ କୀର୍ତ୍ତନ ଶିଳ୍ପୀ ଓ ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ଦୁଇ ଯୁବ କଳାକାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।
ଦିନକ ପୂର୍ବରୁ ପ୍ରେମ ମେହେରଙ୍କ ଆକସ୍ମିକ ମୃତ୍ୟୁକୁ ସହ୍ୟ କରିନପାରି ଜସ୍ମିନ୍ ଏସିଡ୍ ପିଇ ଦେଇଥିବା କୁହାଯାଉଛି, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଏହା ଏକ ଆତ୍ମହତ୍ୟା ସହ ଜଡ଼ିତ ମାମଲା ବୋଲି ସନ୍ଦେହ କରାଯାଉଥିଲେ ହେଁ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ମାତ୍ର ୨୨ ବର୍ଷ ବୟସରେ ଦୁଇଜଣ ପ୍ରତିଭାବାନ୍ ଯୁବ କଳାକାରଙ୍କୁ ହରାଇ ଖପ୍ରାଖୋଲ ସମେତ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ କଳାକାର, ସାଂସ୍କୃତିକ କର୍ମୀ ଓ ଶୁଭେଚ୍ଛୁ ମାନେ ଏହି ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories