ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ : ମୋଦୀ, ଅମିତ ଶାହଙ୍କ ପୋଷ୍ଟର ପୋଡ଼ି
କଳାହାଣ୍ଡି,୨୮/୦୯- ଦେଶର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ ଦଳ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, କଂଗ୍ରେସ ନେତା ମହମ୍ମଦ ସାହେବ, ସରୋଜ ବାଗ, ସନ୍ତୋଷ ତୁଳ, ମନୋଜ କରୁଆଁଙ୍କ ସହିତ ବହୁସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଦେଶର ନିର୍ବାଚନ କମିଶନ ଜ୍ଞାନେଶ କୁମାର ବିଜେପି ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିବାବେଳେ କଳାହାଣ୍ଡି କଂଗ୍ରେସ କମିଟି ତରଫରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ପ୍ରତିବାଦ କରିବା ସହିତ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଦାବିରେ ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ନାରାବାଜି କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟରରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ।

