ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି : ଧାରଣାରେ ଅଭିଭାବକ
କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁରସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପାତ୍ରଙ୍କ ବଦଳି ବାତିଲ କରିବା ସହିତ ତାଙ୍କ ସ୍ଥାନରେ ଦାୟିତ୍ୱ ନେବାକୁ ଥିବା ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିକେଶନ ସୁନାଙ୍କୁ ଫେରାଇ ନେବାକୁ ଦାବି କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ଅଭିଭାବକମାନେ। ଦୀର୍ଘ ସମୟ ଧରି ବିଦ୍ୟାଳୟ ସାମ୍ନାରେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଦସ୍ୟାମାନେ ଧାରଣାରେ ବସି ରହିବାରୁ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ର ମାତ୍ର ଦୁଇମାସ ତଳେ ଯୋଗ ଦେଇଥିବାବେଳେ ତାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁନାଙ୍କୁ ଦାୟିତ୍ୱ ଦେବାକୁ ବିରୋଧ କରି ଅଭିଭାବକମାନେ ଆଜି ଧାରଣାକୁ ଓହ୍ଲାଇଥିଲେ। ପୂର୍ବରୁ ଶ୍ରୀ ସୁନା ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଡେପୁଟେସନରେ ଆସି ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ରହିଥିବା ଦର୍ଶାଇ ଅଭିଭାବକମାନେ ତାଙ୍କୁ ବିରୋଧ କରିବା ସହ ଶ୍ରୀମତୀ ପାତ୍ରଙ୍କ ବଦଳି ବାତିଲ କରିବାକୁ ଅଡ଼ି ବସିଥିଲେ। ଦୀର୍ଘ ସମୟ ଧରି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଧାରଣାରେ ବସିବା ବିଦ୍ୟାଳୟ ପରିସରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛେତ୍ରୀ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କମିଟି ସଦସ୍ୟ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ଏପରିକି ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଥିଲା।

