ମୁସିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ‘ସ୍ପାର୍କ-୨୦୨୬’
କଳାହାଣ୍ଡି, ୨୮/୦୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ସ୍ପାର୍କ -୨୦୨୬ ଭବାନୀପାଟଣା ନିକଟସ୍ଥ ମୁସିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଉଦଘାଟନୀ ସମାରୋହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ରୂପସିଂ ରାଉତ, ଦ୍ୱାରସୁନି ସରପଞ୍ଚ କୈଳାସ ନାଏକ ପୁରସ୍କୃତ କରିଥିଲେ। ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦୀପକ ସାହୁ ଓ ନମ୍ରତା ନାୟକ ପରିଚାଳନା କରିଥିଲେ।

