Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଡିଫାଏଡ୍ ସାଇଲେନ୍ସର ଉପରେ ଟାଉନ୍ ପୋଲିସର ଚଢ଼ାଉ: ୭ ବାଇକ୍ ଜବତ, ୮୦ ହଜାର ଜରିମାନା।

କଳାହାଣ୍ଡି,୩୦/୦୯
ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ା ପାଳନ ଲକ୍ଷ୍ୟରେ ଭବାନୀପାଟଣା ଟାଉନ୍ ଥାନା ପୋଲିସ ପକ୍ଷରୁ ଏକ ବିଶେଷ ଚେକିଂ ଅଭିଯାନ କରାଯାଇଛି। ଗାଡ଼ିରେ କମ୍ପାନୀ ସାଇଲେନ୍ସର କାଢ଼ି ବେଆଇନ ଭାବେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାହନ ଚାଳକଙ୍କ ଉପରେ ପୋଲିସ କଡ଼ା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ସ୍ବେଶାଲ୍ ଜାଞ୍ଚ ଅଭିଯାନ ସମୟରେ ଟାଉନ୍ ଥାନା ପୋଲିସ ଟିମ୍ ସହରର ବିଭିନ୍ନ ପ୍ରମୁଖ ଛକରେ ଯାଞ୍ଚ କ୍ରିୟା କଡ଼ାକଡ଼ି କରିଥିଲେ। ପ୍ରଚଣ୍ଡ ଓ କାନଫଟା ଶବ୍ଦ ସୃଷ୍ଟି କରୁଥିବା ୭ଟି ଦୁଇଚକିଆ ଯାନ (ବିଶେଷ କରି ବୁଲେଟ୍ ଓ ସ୍ପୋର୍ଟସ୍ ବାଇକ୍) କୁ ପୋଲିସ ଜବତ କରିଛି। ଏହାସହ ନିୟମ ଭଙ୍ଗକାରୀଙ୍କ ବିରୋଧରେ ମୋଟର ଯାନ ଆଇନ୍ ଅନୁଯାୟୀ ଚାଲାଣ କାଟି ମୋଟ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ବରିଷ୍ଠ ନାଗରିକ, ରୋଗୀ ଓ ପରୀକ୍ଷାର୍ଥୀଙ୍କୁ ଶବ୍ଦ ପ୍ରଦୂଷଣଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ କଡ଼ାକଡ଼ି ଭାବେ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି। ଯେଉଁମାନେ ଗାଡ଼ିରେ ବେଆଇନ ସାଇଲେନ୍ସର ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ତାହା ହଟାଇ କମ୍ପାନୀ ସାଇଲେନ୍ସର ଲଗାଇବାକୁ ପୋଲିସ ସଚେତନ କରିଛି, ନଚେତ୍ ଆଗକୁ ଗାଡ଼ି ଜବତ ସହ ଆହୁରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଟାଉନ୍ ଥାନା ପୋଲିସର ଏହି କଡ଼ା ପଦକ୍ଷେପକୁ ଭବାନୀପାଟଣା ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ