ପର୍ଶୁରାମ ଗୌନ୍ତିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ’ ପାଳିତ: ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ସମ୍ମାନିତ
ଜମନକିରା : ସେବା ମାସ ପାଳନ ଉପଲକ୍ଷେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଜରାବଗାସ୍ଥିତ ପର୍ଶୁରାମ ଗୌନ୍ତିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ପରିସରରେ ‘ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବାବୁଲାଲ ପୂଜାରୀ ସଭାପତିତ୍ୱ କରିଥିଲେ। ‘ବନ୍ୟପ୍ରାଣୀ ସୁରକ୍ଷାର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ କର୍ମୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ଅବସରପ୍ରାପ୍ତ ଶିକ୍ଷକ ତଥା କଲେଜର ପୂର୍ବତନ ପରିଚାଳନା କମିଟି ସଦସ୍ୟ ପୁରୁଷୋତ୍ତମ ପଟ୍ଟା ଓ ପ୍ରକୃତିବନ୍ଧୁ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ବକ୍ତାମାନେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ, କେବଳ ମାନବ ସମାଜ ମଧ୍ୟରେ ଅହିଂସା ସୀମିତ ନ ରହି ବନ୍ୟଜନ୍ତୁ, ଗୃହପାଳିତ ପଶୁ ଏବଂ ବୃକ୍ଷରାଜି ପ୍ରତି ମଧ୍ୟ ଦୟାଭାବ ରହିବା ଆବଶ୍ୟକ; ତେବେ ଯାଇ ଆମ ବିଶ୍ୱ ଓ ପ୍ରକୃତି ସୁରକ୍ଷିତ ରହିପାରିବ।
ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କୁ କଲେଜ ପକ୍ଷରୁ ‘ପରିବେଶ ସୁରକ୍ଷା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆୟୋଜକ ସଂସ୍ଥା କୁଚିଣ୍ଡାର ‘ପଲ୍ଲୀ ଭାରତୀ ୟୁଥ୍ କ୍ଲବ୍’ ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ/ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭା କାର୍ଯ୍ୟ ଶେଷରେ କଲେଜ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା। ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ବଳରାମ ପୃଷେଟ୍ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

