ଜମନକିରା ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ରେ ପିଟିହେଲା ପିକଅପ୍: ଚାଳକ ଗୁରୁତର, ବୁର୍ଲା ସ୍ଥାନାନ୍ତର
ଜମନକିରା: ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲିସ୍ଥିତ ମହାମାୟୀ ମନ୍ଦିର ନିକଟସ୍ଥ ବ୍ରିଜ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚୂରମାର ହୋଇଯାଇଥିବା ବେଳେ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ଏକ ପିକଅପ୍ ଗାଡ଼ି ଦେବଗଡ଼ ପାର୍ଶ୍ୱରୁ ଛତିଶଗଡ଼ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ ଅର୍ଜୁନପାଲି ମହାମାୟୀ ମନ୍ଦିର ନିକଟସ୍ଥ ଏକ ପୋଲ (ବ୍ରିଜ୍) ଉପରେ ଚାଳକ ଜଣକ ଭାରସାମ୍ୟ ହରାଇ ବସିବାରୁ ଗାଡ଼ିଟି ସିଧାସଳଖ ବ୍ରିଜ୍ର ସାମ୍ନା ଭାଗରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ତୁରନ୍ତ ବୁର୍ଲା ଭିମ୍ସାର୍ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

