ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ: କ୍ୟାମ୍ପସରେ ଅଶାନ୍ତି ଆଶଙ୍କା, ରାତି ତିନିଟା ପର୍ଯ୍ୟନ୍ତ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।
ବଲାଙ୍ଗୀର,୧୫।୧୦: ଶେଷରେ ବଲାଙ୍ଗୀରର ବହୁ ଚର୍ଚ୍ଚିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। କ୍ୟାମ୍ପସରେ କ୍ରମାଗତ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷର ଆଶଙ୍କା ଏବଂ ଶାନ୍ତିଶୃଙ୍ଖଳା ରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଗତ କିଛି ଦିନ ହେବ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଗୋଷ୍ଠୀ ଗୁଡ଼ିକ ମଧ୍ୟରେ ବିବାଦ କ୍ରମଶଃ ବୃଦ୍ଧି ପାଉଥିଲା। ପରିସ୍ଥିତି ଏପରି ସ୍ତରକୁ ଚାଲିଯାଇଥିଲା ଯେ, ଛାତ୍ର ବିସିଜେଡି ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରାଯିବା ସହ ଟାଉନ ଥାନା ଘେରାଉ ଭଳି ଘଟଣା ମଧ୍ୟ ଘଟିଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା, କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଏବଂ ଶିକ୍ଷାଦାନ ପରିବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରଶାସନ ଏହି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି।
ନିର୍ବାଚନ ବାତିଲ ହେବା ଖବର ପ୍ରଚାରିତ ହେବାମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପକ୍ଷରୁ ବିଶ୍ୱବିଦ୍ୟାଳୟ ସାମ୍ନାରେ ଅଧା ରାତିରେ ପ୍ରତିବାଦ କରାଯାଇଥିଲା। ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ।
ଏହି ନିର୍ବାଚନ ବାତିଲକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
“ଭଲ ହେଲା, ନିର୍ବାଚନ ବାତିଲ ହେବାରୁ କ୍ୟାମ୍ପସରେ ଶାନ୍ତି ରହିବ ଏବଂ ନିର୍ଘଣ୍ଟ ଅନୁସାରେ ଶାନ୍ତିରେ ପାଠପଢା ହୋଇପାରିବ।” ବୋଲିସାଧାରଣ ଛାତ୍ରଛାତ୍ରୀ କହିଥିବା ବେଳେ
“ବିଶ୍ୱବିଦ୍ୟାଳୟ ପ୍ରଶାସନର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହା ଛାତ୍ର ଅଧିକାରର କ୍ଷୁଣ୍ଣ କରୁଛି, ଯାହାକୁ ଆମେ ଦୃଢ଼ ବିରୋଧ କରୁଛୁ।” ବୋଲି ଛାତ୍ର ନେତା ଓ ସଂଗଠନ କହିଛନ୍ତି ।
ପ୍ରଶାସନିକ ସ୍ତରରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି କି ରୂପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

