ମୁରିବାହାଲ ବନାଞ୍ଚଳରେ ହାତୀ ଆତଙ୍କ ପରେ ଏବେ ଭାଲୁ ଭୟ: ଗୁଡିଘାଟ ସେକ୍ସନ ବିଜାମାଲ୍ ଗାଁରେ ପଶିଲା ଜଙ୍ଗଲୀ ଭାଲୁ, ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍ ପ୍ରୟାସ ଜାରି ।
ବଲାଙ୍ଗୀର,୧୫।୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନାଞ୍ଚଳରେ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ବଣୁଆ ହାତୀପଲଙ୍କ ଉପଦ୍ରବ ଓ ଆତଙ୍କ ଥମି ନଥିବା ବେଳେ ଏବେ ସଦ୍ୟତମ ଏକ ଜଙ୍ଗଲୀ ଭାଲୁର ପ୍ରବେଶ ସ୍ଥାନୀୟ ଅଞ୍ଚଳର ଚିନ୍ତା ବଢ଼ାଇ ଦେଇଛି। ଏଠାକାର ସ୍ଥାନୀୟ ଲୋକେ ବଣୁଆ ହାତୀ ଭୟରେ ଦିନ କାଟୁଥିବା ବେଳେ ଏବେ ଜଙ୍ଗଲୀ ଭାଲୁ ଭୟ ସେମାନଙ୍କୁ ଆତଙ୍କିତ କରିପକାଇଛି।
ପ୍ରାପ୍ତ ସୂଚନା ମୁତାବକ, ଗତକାଲି ରାତିରେ ମୁରିବାହାଲ ବନାଞ୍ଚଳ ଅନ୍ତର୍ଗତ ଗୁଡିଘାଟ ଫରେଷ୍ଟ ସେକ୍ସନର ବିଜାମାଲ୍ ଗାଁରେ ଏକ ଜଙ୍ଗଲୀ ଭାଲୁ ପଶିଆସିଥିଲା। ଗାଁର ମିଳନ ପୁଟେଲଙ୍କ ଘର ଭିତରୁ ଭାଲୁଟି ବାହାରକୁ ବାହାରୁଥିବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗୀରରୁ ସ୍ୱତନ୍ତ୍ର ରେପିଡ୍ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଟିମ୍ ପକ୍ଷରୁ ଉକ୍ତ ଜଙ୍ଗଲୀ ଭାଲୁର ଗତିବିଧି ସମ୍ପର୍କରେ ନିରୀକ୍ଷଣ କରାଯାଉଥିବା ବେଳେ, ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ବାରମ୍ବାର ବନ୍ୟଜନ୍ତୁଙ୍କ ଏପରି ଜନବସତି ଆଡ଼କୁ ପ୍ରବେଶକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

