ତୁରେକେଲା ରାଜୀବ ଗାନ୍ଧୀ କଲେଜରେ ର୍ୟାଗିଂ ଅଭିଯୋଗ: ପ୍ରଥମ ବର୍ଷ ଛାତ୍ରଙ୍କୁ ନିର୍ଧୂମ ମାଡ଼, ତଦନ୍ତ ଆରମ୍ଭ କଲା ପୋଲିସ ।
ବଲାଙ୍ଗୀର,୩।୧୧: ବଲାଙ୍ଗୀର ଜିଲ୍ଲା ତୁରେକେଲା ସ୍ଥିତ ରାଜୀବ ଗାନ୍ଧୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) କ୍ୟାମ୍ପସରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁକ୍ତ ଦୁଇ ପ୍ରଥମ ବର୍ଷର ଦୁଇ ଜଣ ଛାତ୍ରଙ୍କୁ ନିର୍ଧୂମ ଆକ୍ରମଣ କରାଯାଇଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଲେଜର ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ସମେତ ଅନ୍ୟ କେତେକ ଛାତ୍ର ଓ ବାହାରିଆ ଯୁବକ (ସମୁଦାୟ ୧୨-୧୩ ଜଣ) ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଡାକି ନେଇ କ୍ୟାମ୍ପସ ନିକଟସ୍ଥ ଜଙ୍ଗଲରେ ବାଡ଼ିରେ ମାଡ଼ ମାରିଥିଲେ। ମାଡ଼ର ଶିକାର ହୋଇଥିବା ଆହତ ଛାତ୍ରମାନଙ୍କ ପିଠିରେ ଗଭୀର ଚୋଟ ଓ ମାଡ଼ର ଚିହ୍ନ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ଏସମ୍ପର୍କରେ ତୁରେକେଲା ଥାନାରେ ଆନୁଷ୍ଠାନିକ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ସ୍ତରରେ ଏହି ସମ୍ବେଦନଶୀଳ ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଛି। ଛାତ୍ର ସୁରକ୍ଷା ଓ କ୍ୟାମ୍ପସରେ ଅନୁଶାସନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

