NEET-PG Admission 2027: NEET ନାମଲେଖା ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ! ପର୍ସେଣ୍ଟେଜ୍ ବଦଳରେ ରାଙ୍କ୍ ଆଧାରରେ ହୋଇପାରେ ନାମଲେଖା, କେନ୍ଦ୍ରର ନୂଆ ପ୍ରସ୍ତାବ
ନୂଆଦିଲ୍ଲୀ: NEET-PG ଓ NEET-SS ନାମଲେଖା ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି। ୨୦୨୭ରୁ ପର୍ସେଣ୍ଟେଜ୍ ଆଧାରିତ ଯୋଗ୍ୟତା ବ୍ୟବସ୍ଥା ବଦଳରେ ରାଙ୍କ୍ ଆଧାରିତ ମେରିଟ୍ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ନାମଲେଖା ପ୍ରକ୍ରିୟାର ସମୀକ୍ଷା ପାଇଁ ଗଠିତ ୧୨ ଜଣିଆ ବିଶେଷଜ୍ଞ କମିଟି ଏହି ପରିବର୍ତ୍ତନ ସୁପାରିସ କରିଛି। ଏହାକୁ ଜାତୀୟ ମେଡିକାଲ୍ କମିଶନ (NMC) ମଧ୍ୟ ନୀତିଗତ ଭାବେ ଅନୁମୋଦନ କରିଛି।
କମିଟି ଖାଲି ଆସନ ପୂରଣ କରିବା ପାଇଁ ଯୋଗ୍ୟତା ମାନଦଣ୍ଡ କୋହଳ ନକରିବାକୁ ପରାମର୍ଶ ଦେଇଛି। ଏହା ସହ ନନ୍-କ୍ଲିନିକାଲ୍ ପୋଷ୍ଟଗ୍ରାଜୁଏଟ୍ ପାଠ୍ୟକ୍ରମର ଫି’ ହ୍ରାସ କରିବାକୁ ମଧ୍ୟ ସୁପାରିସ କରାଯାଇଛି। ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ମେରିଟ୍କୁ ଗୁରୁତ୍ୱ ଦେବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷଜ୍ଞ କମିଟିର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ରିପୋର୍ଟ ଉପରେ ନିଜର ମତ ରଖିବା ପାଇଁ ଆବେଦନକାରୀଙ୍କୁ କୋର୍ଟ ସମୟ ଦେଇଛନ୍ତି। ତେଣୁ ୨୦୨୭ରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ କି ନାହିଁ, ତାହା ଆଗାମୀ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।

