କେନ୍ଦ୍ରସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଜମନକିରା : ସମ୍ବଲପୁର ଜିଲ୍ଲା ଫାଶିମାଲ ଠାରେ ଭାଜପା ପକ୍ଷରୁ ଆୟୋଜିତ ଜନସମ୍ପର୍କ ଅଭିଯାନ ମାଧ୍ୟମ ରେ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ଯଅତିଥି ଭାବେ ଯୋଗଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳତା ବଖାଣିଥିଲେ। ରାଜନୀତି ତାବାଟରେ କିନ୍ତୁ ସମ୍ପର୍କ ସବୁଦିନର ବୋଲି କହି ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଓଡିଶାରେ ଭାଜପା ସରକାର ଗଢିବାକୁ ପଡିବ।ତୃଣମୂଳ ସ୍ତରରୁ ଭାଜପା ସଂଗଠନକୁ ସୁଦୃଢ କରି ଜନସାଧାରଣଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଯେଉଁସବୁ ଜନହିତକର ଯୋଜନା କାର୍ଯ୍ଯକାରୀ କରୁଛନ୍ତି ତାହା ଲୋକଙ୍କୁ ଅବଗତ କରାଇବାକୁ ପଡିବ। ମୋଦୀ ସରକାର ଗରିବଙ୍କ ସରକାର, ତେଣୁ ମାନ ଅଭିମାନ ଓ ରାଗରୋଷକୁ ଭୁଲି ପୁରାତନ କାର୍ଯ୍ଯକର୍ତ୍ତା ଏକଜୁଟ ହୋଇ ନରେନ୍ଦ୍ର ମୋଦୀଙ୍କୁ ପୁଣି ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ କରାଇ ଏକ ସଶକ୍ତ ରାଷ୍ଟ୍ର ଗଠନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକଙ୍କ ପୌରହିତ୍ୟରେ ହୋଇଥିବା ବୈଠକରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଦେବଗଡ ବିଧାୟକ ସୁବାସ  ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ଯ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ, ରାଜ୍ଯ ସମ୍ପାଦକ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପ୍ରମୁଖ ସାଂଗଠାନିକ ଆଲୋଚନା କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କାର୍ଯ୍ଯକର୍ତ୍ତାଙ୍କ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ସୁନୀଲ ମୁଦୁଲି, ଜିଲ୍ଲା ପରିଷଦ ସଭ୍ଯ ଦିବ୍ୟରାଜ କିଷାନ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ନାଏକ, ଉପାଧ୍ୟକ୍ଷ ସଞ୍ଜୟ ଦାସ, ମଣ୍ଡଳ ସଭାପତି ଆମୋଘ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପଟେଲ, ଉପେନ୍ଦ୍ର ପଟେଲ,ପପୁନ ସିଂ ଠାକୁର, ସୁନୀଲ ଦାଶ,ବୀରେନ୍ଦ୍ର ଚୌଧୁରୀ, ଯୁବନେତା ପିଙ୍କୁ ପାଣି, ରମେଶ ସାହୁ, ଦୀନେଶ ସାହୁ, ଜେମାଦେଇ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ଓ କୁଚିଣ୍ଡା ଏନଏସିର ବହୁ ପୁରାତନ କାର୍ଯ୍ଯକର୍ତ୍ତା ଯୋଗଦେଇଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଭାଜପାର ବିକାଶ ଧାରା ଓ ମୋଦି ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ଓ ବିଭିନ୍ନ ଦଳରୁ ୧୦୦ରୁ ଉର୍ଦ୍ଧ୍ବ କର୍ମୀ ଭାଜପାରେ ଯୋଗଦେଇଥିଲେ।ଶେଷରେ ଜିଲ୍ଲା ଉପସଭାପତି ଶୁଶିଳ କର ଧନ୍ୟବାଦ ଦେଇଥିଲେ।