Vande Bharat Sleeper: ବନ୍ଦେ ଭାରତରେ ବନ୍ଦ ହେଲା ତତ୍କାଳ ଟିକେଟ୍ ବ୍ୟବସ୍ଥା, ଜାଣନ୍ତୁ ବୁକିଂ ଓ ବାତିଲ୍ର ନୂଆ ନିୟମ
ନୂଆଦିଲ୍ଲୀ: ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ଯାତ୍ରା କରିବାକୁ ଯୋଜନା କରୁଥିବା ଯାତ୍ରୀମାନେ ଟିକେଟ୍ ବୁକିଂ ଓ ବାତିଲ୍ ନିୟମ ବିଷୟରେ ଜାଣି ରଖିବା ଜରୁରୀ। ଏହି ଟ୍ରେନ୍ ପାଇଁ ରେଳବାଇ କିଛି ସ୍ୱତନ୍ତ୍ର ନିୟମ ଲାଗୁ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ତତ୍କାଳ ଟିକେଟ୍ ବୁକିଂର ସୁବିଧା ରହିବ ନାହିଁ। ତେଣୁ ଯାତ୍ରୀମାନଙ୍କୁ Advance Reservation Period ମଧ୍ୟରେ ଆଗୁଆ ଟିକେଟ୍ ବୁକ୍ କରିବାକୁ ପଡ଼ିବ। ଏହା ସହିତ କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ହିଁ ଟ୍ରେନ୍ରେ ଯାତ୍ରା କରିପାରିବେ। RAC କିମ୍ବା ୱେଟିଂ ଲିଷ୍ଟ୍ ଟିକେଟ୍ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ସମସ୍ତ ସିଟ୍କୁ ସାଧାରଣ କୋଟାରେ ରଖିବା ଦ୍ୱାରା ଯାତ୍ରୀମାନେ ଆଗୁଆ ଯାତ୍ରା ଯୋଜନା କରିପାରିବେ ବୋଲି ରେଳବାଇର ଯୁକ୍ତି।
ବର୍ତ୍ତମାନ ଦେଶରେ ତିନି ଯୋଡ଼ା ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ୍ ଚଳାଚଳ କରୁଛି। ଏଥିରେ ହାୱଡ଼ା-କାମାଖ୍ୟା-ହାୱଡ଼ା ରୁଟ୍ରେ ୨୭୫୭୫/୨୭୫୭୬, ବାରାଣସୀ-ନୂଆଦିଲ୍ଲୀ-ବାରାଣସୀ ରୁଟ୍ରେ ୨୭୪୨୧/୨୭୪୨୨ ଏବଂ ବେଙ୍ଗାଲୁରୁ-ମୁମ୍ବାଇ-ବେଙ୍ଗାଲୁରୁ ରୁଟ୍ରେ ୨୭୬୫୧/୨୭୬୫୨ ନମ୍ବର ଟ୍ରେନ୍ ରହିଛି। BEML ପକ୍ଷରୁ ଚେନ୍ନାଇର Integrated Coach Factoryର ପ୍ରଯୁକ୍ତି ଆଧାରରେ ଏହି ଟ୍ରେନ୍ ବିକଶିତ କରାଯାଇଛି। ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଚାଲିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ପ୍ରତି ଟ୍ରେନ୍ରେ ୧୬ଟି କୋଚ୍ ରହିଛି। ସେଥିରେ ୧୧ଟି AC 3-Tier, ୪ଟି AC 2-Tier ଏବଂ ଗୋଟିଏ First AC କୋଚ୍ ଥିବାବେଳେ ମୋଟ ୮୨୩ ଜଣ ଯାତ୍ରୀ ଯାତ୍ରା କରିପାରିବେ।
ଟିକେଟ୍ ବାତିଲ୍ କ୍ଷେତ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି। ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ କନଫର୍ମ ଟିକେଟ୍ ବାତିଲ୍ କଲେ ମୋଟ ଭଡ଼ାର ୨୫ ପ୍ରତିଶତ କଟାଯିବ। ସେହିପରି ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟାରୁ ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କଲେ ୫୦ ପ୍ରତିଶତ ଭଡ଼ା କଟିବ। କିନ୍ତୁ ଟ୍ରେନ୍ ଛାଡ଼ିବାକୁ ୮ ଘଣ୍ଟାରୁ କମ୍ ସମୟ ବାକି ଥିଲେ ଟିକେଟ୍ ବାତିଲ୍ କରିବା ଦ୍ୱାରା କୌଣସି ରିଫଣ୍ଡ ମିଳିବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍ ବୁକ୍ କରିବା ପୂର୍ବରୁ ନିଜ ଯାତ୍ରା ଯୋଜନା ଠିକ୍ ଭାବେ କରିବା ସହ ବାତିଲ୍ ନିୟମ ଓ ସମୟସୀମା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

