Saharanpur Nikah Controversy: ବିବାହ କାର୍ଡରେ ହିନ୍ଦୁ ନାମକୁ ନେଇ ବିବାଦ, ପୋଲିସର ସୁରକ୍ଷା ଲୋଡ଼ିଲେ ଦୁଇ ଭଉଣୀ
ସହାରନପୁର: ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲା ଗଙ୍ଗୋହରେ ଦୁଇ ମୁସଲିମ ଭଉଣୀଙ୍କ ବିବାହ କାର୍ଡକୁ ନେଇ ବିବାଦ ସୃଷ୍ଟି ହୋଇଛି। କାର୍ଡରେ ବରଙ୍କ ନାମ ହିନ୍ଦୁ ନାମ ଭଳି ଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। ନଭେମ୍ବର ୧୨ ତାରିଖରେ ଦୁଇ ଭଉଣୀଙ୍କ ନିକାହ ହେବାକୁ ଥିବାବେଳେ, ଏହି କାର୍ଡ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଛି।
ଦୁଇ ଭଉଣୀଙ୍କ କହିବା ଅନୁସାରେ, ବର ଓ ତାଙ୍କ ପରିବାର ମୁସଲିମ। କିନ୍ତୁ ସେମାନଙ୍କ ପରିବାରରେ ଅନେକ ପିଢ଼ି ଧରି ହିନ୍ଦୁ ନାମ ରଖିବାର ପରମ୍ପରା ରହିଛି। ଅଭିଯୋଗ ହୋଇଛି ଯେ କାର୍ଡ ଭାଇରାଲ ହେବା ପରେ କେହି ଜଣେ ଅଜଣା ବ୍ୟକ୍ତି ବିବାହ ମଣ୍ଡପର ମାଲିକଙ୍କୁ ଫୋନ୍ କରି ବିବାହ ନକରାଇବାକୁ ଧମକ ଦେଇଥିଲେ। ଏପରିକି ହିନ୍ଦୁ ସଂଗଠନକୁ ଡାକି ହଙ୍ଗାମା କରିବାକୁ ଧମକ ଦିଆଯାଇଥିବା ମଧ୍ୟ ଭଉଣୀମାନେ ଅଭିଯୋଗ କରିଛନ୍ତି।
ଏହାପରେ ଦୁଇ ଭଉଣୀ ଗଙ୍ଗୋହ କୋତୱାଲି ଥାନାରେ ଅଭିଯୋଗ କରି ନିକାହ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରାଇବା ପାଇଁ ପୋଲିସ ସୁରକ୍ଷା ମାଗିଛନ୍ତି। ଏନେଇ ସିଓ ଶୈଳେନ୍ଦ୍ର ପ୍ରତାପ ଗୌତମ କହିଛନ୍ତି ଯେ, ପୋଲିସ ଅଭିଯୋଗ ପାଇଛି ଏବଂ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

