Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁର ଜମନକିରା ରେଞ୍ଜରେ ୪୫ ଟିକିଆ ହାତୀପଲଙ୍କ ଆତଙ୍କ: ସାତୋଟି ପଞ୍ଚାୟତରେ ପାଚିଲା ଧାନ ଫସଲ ନଷ୍ଟ, ଚିନ୍ତାରେ ଅନ୍ନଦାତା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବାମରା ବନ୍ୟପ୍ରାଣୀ ବନାଞ୍ଚଳର ଭୋଜପୁର, ଜମନକିରା ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ଏବେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଅସହ୍ୟ ହୋଇପଡ଼ିଛି। ପ୍ରାୟ ୪୫ ଟିକିଆ ଏକ ବିରାଟ ହାତୀପଲ ଏହି ଅଞ୍ଚଳରେ ଡେରା ପକାଇ ରାତ୍ରିରେ ବିଚରଣ କରୁଥିବା ବେଳେ, ଚାଷୀଙ୍କ ମୁଣ୍ଡଝାଳ ତୁଣ୍ଡରେ ମାରି ଅମଳ ପାଇଁ ପ୍ରସ୍ତୁତ ହୋଇଥିବା ପାଚିଲା ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଏହି ବୃହତ୍ ହାତୀପଲ ଭୋଜପୁର ରେଞ୍ଜ ଅଧୀନସ୍ଥ କଟଙ୍ଗପାଣି, ବଡ଼ମାଲ, ଗୁଣ୍ଡୁରୁଚୁଆଁ, ଫାସିମାଲ, ଟିକିବା, କସଡ଼ା ଏବଂ କେନାଢ଼ିପା ଆଦି ପଞ୍ଚାୟତ ସମେତ ଜମନକିରା ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଓ ଗ୍ରାମାଞ୍ଚଳରେ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେବା ମାତ୍ରେ ହାତୀପଲ ଜନବସତି ଓ ଚାଷଜମି ମୁହାଁ ହେଉଛନ୍ତି। ବିଲରେ ପାଚି ଆସିଥିବା ଧାନ ଫସଲକୁ ହାତୀମାନେ ଖାଇବା ସହିତ ପାଦରେ ଦଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି। ଫଳରେ ଏହି ସବୁ ପଞ୍ଚାୟତର ଶହ ଶହ ଏକର ଚାଷଜମି ଏବେ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ବର୍ଷ ତମାମ ଋଣ କରଜ କରି ଏବଂ ଅକ୍ଳାନ୍ତ ପରିଶ୍ରମ କରି ଚାଷୀମାନେ ସୁନାର ଫସଲ ଫଳାଇଥିଲେ। ଅମଳ ସମୟ ପାଖେଇ ଆସିଥିବା ବେଳେ ହାତୀପଲଙ୍କ ଏଭଳି ତାଣ୍ଡବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କେବଳ ଫସଲ ହାନି ନୁହେଁ, ବରଂ ବିଶାଳ ହାତୀପଲ ଗାଁ ନିକଟରେ ଘୂରି ବୁଲୁଥିବାରୁ ଉକ୍ତ ପଞ୍ଚାୟତ ଗୁଡ଼ିକର ବାସିନ୍ଦାମାନେ ଜୀବନ ଭୟରେ ରାତି ଅନିଦ୍ରା ହୋଇ ରହୁଛନ୍ତି। ସନ୍ଧ୍ୟା ହେଲେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଅନ୍ୟପକ୍ଷରେ, ଏହି ସମସ୍ୟା ସଂକ୍ରାନ୍ତରେ ସ୍ଥାନୀୟ ରେଞ୍ଜର ଲେଖାରାଣୀ ମହାନନ୍ଦଙ୍କୁ ଯୋଗାଯୋଗ କରି ପଚାରିବାରୁ, ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ କର୍ମଚାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ବନ ବିଭାଗ ପକ୍ଷରୁ ଅଧିକ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ କରାଯାଇ ହାତୀପଲଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories