Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌଡ଼ପାଲି ସହରାଞ୍ଚଳ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ୱ ଗର୍ଭାଶୟ ଗ୍ରୀବା କର୍କଟ ନିରାକରଣ ଦିବସ ପାଳିତ; ସଚେତନତା ଶୋଭାଯାତ୍ରା ଓ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ

ଜମନକିରା : ମାରାତ୍ମକ ଗର୍ଭାଶୟ ଗ୍ରୀବା କର୍କଟ (Cervical Cancer) ରୋଗର ଭୟାବହତା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ଏହାର ପ୍ରାଥମିକ ପ୍ରତିରୋଧ ଉଦ୍ଦେଶ୍ୟରେ ବୁର୍ଲାସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ର, ଗୌଡ଼ପାଲିଠାରେ ବିଶ୍ୱ ଗର୍ଭାଶୟ ଗ୍ରୀବା କର୍କଟ ନିରାକରଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍, ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଏଚ୍‌ପିଭି ସଂକ୍ରମଣର କାରଣ, ଗର୍ଭାଶୟ ଗ୍ରୀବା କର୍କଟର ଲକ୍ଷଣ, ନିରାକରଣ ଉପାୟ ଏବଂ ଏଚ୍‌ପିଭି ଟିକାକରଣର ଅପରିହାର୍ଯ୍ୟତା ସମ୍ପର୍କରେ ବିଶଦ ଭାବରେ ବୁଝାଇଥିଲେ। ଏହାବ୍ୟତୀତ, ବୁର୍ଲାର ବିଭିନ୍ନ ବସ୍ତି ଅଞ୍ଚଳରେ ଏକ ବିରାଟ ସଚେତନତା ଶୋଭାଯାତ୍ରା (ରାଲି) ବାହାର କରାଯାଇଥିଲା। ଡାକ୍ତର ଓ ନର୍ସିଂ ଛାତ୍ରଛାତ୍ରୀମାନେ ହାତରେ ‘HPV ଟିକା ନିଅନ୍ତୁ – କର୍କଟରୁ ସୁରକ୍ଷା ପାଆନ୍ତୁ’, ‘ଗର୍ଭମୁଖ କର୍କଟ – ନିରାକରଣ ହିଁ ସୁରକ୍ଷା’ ଆଦି ସଚେତନତାଧର୍ମୀ ପ୍ଲାକାର୍ଡ ଧରି ବସ୍ତିବାସିନ୍ଦାଙ୍କୁ ରୋଗର ପ୍ରାରମ୍ଭିକ ଚିହ୍ନଟ, ନିୟମିତ ସ୍କ୍ରିନିଂ ଓ ଟିକାକରଣ ପାଇଁ ଆହ୍ୱାନ ଦେଇଥିଲେ।
ଆଇପିଏଚ୍‌ଏର ସାଧାରଣ ସମ୍ପାଦକ ତଥା ସହକାରୀ ପ୍ରଫେସର ଡା. ସଞ୍ଜୀବ କୁମାର ମିଶ୍ର ଏବଂ ଉପସଭାପତି ପ୍ରଫେସର ଡା. ସୁବ୍ରତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳିତ ହୋଇଥିଲା। ଭିମସାର ନର୍ସିଂ କଲେଜର ଶିକ୍ଷୟିତ୍ରୀ ପୂନମ, ସତ୍ୟରୂପା ଏବଂ ଲୀଳାରାଣୀଙ୍କ ସକ୍ରିୟ ତତ୍ତ୍ୱାବଧାନ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ବେଶ୍ ସମୃଦ୍ଧ କରିଥିଲା। ଏଥିରେ ବରିଷ୍ଠ ଆବାସିକ ଡାକ୍ତର ଡା. ରଞ୍ଜନ କୁଜୁରଙ୍କ ସମେତ ବହୁ ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଇଣ୍ଟର୍ନ ଡାକ୍ତର ଏବଂ ନର୍ସିଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଭାରତ ସରକାର ୨୦୩୦ ମସିହା ସୁଦ୍ଧା ଦେଶରୁ ଏହି ମାରାତ୍ମକ ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ ୧୪ରୁ ୧୫ ବର୍ଷ ବୟସ୍କା କିଶୋରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସାମୂହିକ ଜନସହଭାଗିତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଟିକାକରଣ ମାଧ୍ୟମରେ ସମାଜକୁ କର୍କଟମୁକ୍ତ କରିବା ଦିଗରେ ଏହି ଅଭିଯାନ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories