ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢିଲା ମହଙ୍ଗା ଭତ୍ତା


ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ମହଙ୍ଗା ଭତ୍ତା ବୃଦ୍ଧି ଇେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ  ୪ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପେନସନଭୋଗୀଙ୍କ ଟି.ଆଇରେ ମଧ୍ୟ ବୃଦ୍ଧି ଘଟିଛି ।

ମହଙ୍ଗା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶକୁ ବୃଦ୍ଧି ପାଇବ । ଏହି ବର୍ଦ୍ଧିତ ହାର ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ଭତ୍ତା ଚଳିତ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏଥିରେ ପେନସନଭୋଗୀମାନେ ମଧ୍ୟ ଉପକୃତ ହେବେ। ପେନସଭୋଗୀଙ୍କ ଟିଆଇରେ ମଧ୍ୟ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହାଦ୍ୱାରା ସାଢେ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।