ସମ୍ବଲପୁର ଲୋକସଭା ସିଟରୁ ଲଢିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟ ନିଶ୍ଚିତ !


ସମ୍ବଲପୁର: ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ଓଡ଼ିଶାରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଜୁଟି ଗଲେଣି। କିଏ କେଉଁ ଆସନରୁ ଲଢିବ ସେ ନେଇ ଅଙ୍କକଷା ଚାଲିଛି। ତେବେ ଏଥର ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୦୪ ମସିହାରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ସମୟ ପରେ ପ୍ରତ୍ୟେକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି। ତେଣୁ ରାଜ୍ୟର ସେ କେଉଁ ଆସନରୁ ମଇଦାନକୁ ଓହ୍ଲାଇବେ ତାକୁ ନେଇ ଖୁବ୍ ଚର୍ଚ୍ଚା ଏବଂ କଳ୍ପନା ଜଳ୍ପନା ଚାଲିଛି। ତେବେ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଲୋକସଭା ସିଟରୁ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ବିଜେପିର ଏହି ବରିଷ୍ଠ ନେତା ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଆସନରୁ ନିର୍ବାଚନ ଲଢନ୍ତି ତେବେ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି। ତେବେ ଚାଲନ୍ତୁ ଜାଣିବା ଏହାର ରାଜନୈତିକ ସମୀକରଣ ଏବଂ ଧର୍ମେନ୍ଦ୍ରଙ୍କ ବିଜୟ ସମ୍ଭାବନା।

ପଶ୍ଚିମ ଓଡିଶାର ପ୍ରମୁଖ ରାଜନୈତିକ କେନ୍ଦ୍ରସ୍ଥଳ କୁହା ଯାଉଥିବା ସମ୍ବଲପୁର ଲୋକସଭା ଆସନ ଏବଂ ବିଧାନସଭା ଆସନକୁ ନେଇ ବିଜେପି ଏବଂ ବିଜେଡି ଶିବିରରେ ସମରସଜ୍ଜା ଆରମ୍ଭ ହୋଇଗଲାଣି । ସବୁଠୁ ଅଧିକ ଚର୍ଚ୍ଚା ଲୋକସଭାକୁ ନେଇ ଲାଗିରହିଛି । ଏହାର କାରଣ ଏହି ସଂସଦୀୟ କ୍ଷେତ୍ରରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ର ବିଧାନସଭାରେ ବିରୋଧୀ ଦଳ ନେତା ହେବା ପରଠୁ ସମ୍ବଲପୁର ଆସନର ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବଢି ଯାଇଛି ।

ଉଭୟ ବିଧାନସଭା ଏବଂ ଲୋକସଭା ଆସନ ବିଜେପି କବଜାରେ ରହିଛି । କହିବାକୁ ସମ୍ବଲପୁରରେ ବିଜେପିର ପତିଆରା ରହିଛି । ଏହାକୁ ବଜାୟ ରଖିବା ପାଇଁ ବିଜେପି ଅଣ୍ଟା ଭିଡିଲାଣି । ଅନ୍ୟପଟେ ଏଠାରେ ବିଜେପିକୁ ମାତ୍ ଦେବାକୁ ରାଜ୍ୟରେ କ୍ଷମତାସୀନ ବିଜେଡି ସ୍ୱତନ୍ତ୍ର ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛି । ତେଣୁ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ସମ୍ବଲପୁରର ବର୍ତ୍ତମାନ ସାଂସଦ ଅଛନ୍ତି ନିତେଶ ଗଙ୍ଗଦେବ । କିନ୍ତୁ ଏଥର ତାଙ୍କୁ ଏହି ଆସନରୁ ଟିକଟ୍ ମିଳିବାର ସମ୍ଭାବନା ଯଥେଷ୍ଟ କମ ରହିଛି । ନୀତେଶ ଗଙ୍ଗଦେବଙ୍କୁ ଅନ୍ୟ କୌଣସି ସିଟରୁ ଟିକେଟ୍ ଦିଆଯାଇପାରେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଆସନରୁ ନିର୍ବାଚନ ଲଢାଇବା ପାଇଁ ଦଳୀୟ ହାଇକମାଣ୍ଡ ବିଚାର କରୁଥିବା ଜଣା ପଡିଛି । କାରଣ ଏହି ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ୩ଟି ସମ୍ବଲପୁର, ଦେବଗଡ଼ ଏବଂ ରେଙ୍ଗାଳି ବିଜେପି କବଜାରେ ରହିଛି । ଏଠାରେ ବିଜେପିର ଜନାଧାର ଥିବାରୁ ଧର୍ମେନ୍ଦଙ୍କୁ ଏହି ଆସନ ବେଶ ସୁହାଇପାରେ ।

ପ୍ରଧାନ ଖୋଦ୍ କହି ସାରିଛନ୍ତି ଯେ, ସେ ଓଡିଶାରେ ଲୋକସଭା ନିର୍ବାଚନ ଲଢିବେ। ମନ୍ତ୍ରୀ ନିଜର ପ୍ରଥମ ଲୋକସଭା ନିର୍ବାଚନ ୨୦୦୪ରେ ଦେବଗଡ ଆସନରୁ ଜିତିଥିଲେ। ଏହି ଆସନ ବର୍ତ୍ତମାନ ସମ୍ବଲପୁର ନିର୍ବାଚନ କ୍ଷେତ୍ରରେ ମିଶି ଯାଇଛି। ସମ୍ବଲପୁର ଲୋକସଭା ସିଟ୍ ବିଜେପି କବଜାରେ ରହିଛି ଏବଂ ଏଠାରେ ପାର୍ଟିର ମଜବୁତ ଜନାଧାର ରହିଛି। ତେଣୁ ସମ୍ବଲପୁରରୁ ଲଢିବା ଧର୍ମେନ୍ଦ୍ରଙ୍କୁ ବେଶ ସୁହାଇପାରେ।

ରାଜ୍ୟ ବିଜେପିର ଉପସଭାପତି ନାଉରୀ ନାୟକ ପୂର୍ବରୁ କହି ସାରିଛନ୍ତି, ପାର୍ଟି ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ଲଢାଇବା ଉପରେ ବିଚାର କରୁଛନ୍ତି। କାରଣ ଏହା ସୁରକ୍ଷିତ ସିଟ୍। ସମ୍ବଲପୁର ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ବିଜେପିର ତିନି ବିଧାୟକ ଅଛନ୍ତି ଏବଂ ଲୋକସଭା ଆସନ ମଧ୍ୟ ବିଜେପି କବଜାରେ ରହିଛି। ଏହା ଧର୍ମେନ୍ଦ୍ରଙ୍କୁ ଲୋକସଭା ନିର୍ବାଚନର ବୈତରଣୀ ପାର କରାଇବାରେ ବଡ ଫ୍ୟାକ୍ଟର ସାବ୍ୟସ୍ତ ହୋଇପାରେ।

ଚଳିତ ବର୍ଷ ଆରମ୍ଭରେ ପ୍ରଧାନ ଢେଙ୍କାନାଳ ଏବଂ ସମ୍ବଲପୁରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ କେନ୍ଦ୍ର ନିକଟରେ ଅନୁରୋଧ କରିଥିଲେ। ପୁଣି ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଦୁଇ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବାରମ୍ବାର ଗସ୍ତ କରି ଏହାର ସଙ୍କେତ ଦେଇଛନ୍ତି ଯେ, ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ନିର୍ବାଚନ ଲଢି ପାରନ୍ତି। ତେବେ ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ନିର୍ବାଚନ ଲଢିବେ ବେଶ ଫାଇଦା ମିଳିବା ସହିତ ବିଜୟ ସୁନିଶ୍ଚିତ ରହିପାରେ।