Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଗ୍ରାମରେ ମା ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା ପାଳନ, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ଗାଁ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢକେନା ମଣ୍ଡେଇ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ପୂର୍ବ ପୁରୁଷାନୁକ୍ରମେ ପ୍ରତିବର୍ଷ ବାହୁଡା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ମଣ୍ଡେଇ ଯାତ୍ରା ହୋଇଆସୁଛି। ମା ବସ୍ତରେନ ଙ୍କ ମୂଳପୀଠ ଛତିଶଗଡ଼ ରାଜ୍ୟର ଦେନ୍ତେବାଦା ହୋଇଥିବା ବେଳେ ସେଠାରୁ ମା ଙ୍କୁ ଆଣି ସ୍ଥାପନ କରାଯାଇଛି। ପୂର୍ବରୁ ନାଗବଂଶୀ ରାଜା ମାନେ ଏହି ଗଡଜାତ ଅଞ୍ଚଳ ରେ ଶାସନ କାଳରେ ଜଣେ ନାଗ ବଂଶୀ ରାଣି ସତୀ ହୋଇଥିଲେ, ତାଙ୍କର ସତି ଚଉରା ରହିଥିଲା,ସେହି ସତି ଚଉରା ଉପରେ ମା ବସ୍ତରେନ ମାଉଳି ଙ୍କୁ ସ୍ଥାପନ କରାଯାଇଥିବା ଲୋକଶୃତି ରୁ ବିଦିତ ରହିଛି।।ଅନ୍ୟ ପକ୍ଷରେ ଏହି ଯାତ୍ରାକୁ ଆଷାଢ଼ କେନା ମଣ୍ଡେଇ ଯାତ୍ରା ମଧ୍ୟ କୁହାଯାଏ ।ଆଷାଢ଼ ମାସ ପ୍ରାରମ୍ଭରେ ଚାଷ ପାଇଁ ଚାଷୀ ବିହୁଡା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି । ପରମ୍ପରା ଅଛିଯେ ଏହି ମଣ୍ଡେଇ ଯାତ୍ରା ସରିବା ପରେ ଏ ଅଞ୍ଚଳର ଚାଷୀ ଜମି ରେ ଘାସବଛା,ବିହୁଡା ଓ ରୁଆ କାର୍ଯ୍ୟ ଆରମ୍ଭ କରନ୍ତି। ସକାଳୁ ଗ୍ରାମର ଗୌନ୍ତିଆ ଚୁମନ ପାତ୍ର ଓ ପୂଜକ ଚିତ୍ରସେନ ମାଝୀ ଙ୍କ ଘରୁ ପୁଜା ସାମଗ୍ରୀ, ଦେବୀଙ୍କ ଲାଠି, କାଳିସୀ ବାଜା ବଜାଇ ଏକ ଶୋଭାଯାତ୍ରାରେ ଦେବୀ ପିଠକୁ ପହଞ୍ଚିବା ପରେ ଆମପାଣି ଗ୍ରାମରୁ ବୁଢାରଜା, ଡେଙ୍ଗାଗୁଡା ଗ୍ରାମରୁ ହିଙ୍ଗୁଲା, ମାଝିଗୁଡା ଗ୍ରାମରୁ ବରସାଲମାଝି ସହ ଠାକୁରାଣି, ଲଙ୍କେଶ୍ୱରୀ ଓ ଦ୍ୱାରସିନୀ ଦେବୀଙ୍କ ଲାଠି ଓ କାଳିସୀ ଦେବୀ ପୀଠକୁ ପହଞ୍ଚିଥିଲା । ପୀଠରେ ପ୍ରଥମେ ପୁଜାର୍ଚ୍ଚନା କରିବା ପରେ ଦେବୀ ମାନଙ୍କର ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା । ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଏକତ୍ର ହୋଇ ମଣ୍ଡେଇ ହାଟକୁ ୩ ଥର ପରିକ୍ରମା କରି ପୁଣିଥରେ ଦେବୀ ପୀଠକୁ ଫେରିଆସିଥିଲେ । ଦେବୀ ମାନଙ୍କ ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ମାନେ ବାଟ ଓଗାଳି ନିଜ ନିଜର ମାନସିକ ଜଣାଇଥିଲେ । ସେହି ସମୟରେ କାଳିସୀ ମାନେ ହାତରେ ଧରିଥିବା ବିନ୍ତି(ଦେବୀ ଚାଉଳ) ଭକ୍ଷଣ କରିବା ପାଇଁ କହି ଆଶିର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା । ପରେ କଣ୍ଟା ଦୋଳିରେ ଝୁଲିବା କାଲିସିଙ୍କ ସହ ଗ୍ରାମର ଗୌନ୍ତିଆ,ପୁଜକ, ଗ୍ରାମରକ୍ଷୀ, ଲାଠି ବୋହିଥିବା ବ୍ୟକ୍ତି ସହ ଏପରି ୧୦/୧୫ ଜଣରୁ ଉର୍ଦ୍ଧ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲିବା ଦୃଶ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।ମାନସିକ କରିଥିବା ଭକ୍ତ ନିଜ ନିଜର ମାନସିକ ପୁରଣ ସଦୃଶ୍ୟ ଧୂପ ଦୀପ ନଡ଼ିଆ ମୁଆଁ ସହ କୁକୁଡା, ପାରା, ବୋଦା ବଳି ଦେଇଥିବା ବେଳେ ପୂଜାର୍ଚ୍ଚନା କରି ଦେବୀ ବସ୍ତରେନ ଙ୍କ ଆଶିର୍ବାଦ ନେଇଥିଲେ ।

ମଣ୍ଡେଇ ଯାତ୍ରାର ସବୁ ପ୍ରକାର ପୂଜା କାର୍ଯ୍ୟ ପୁଜକ ଚିତ୍ରସେନ ମାଝିଙ୍କ ନେତୃତ୍ୱରେ ହୋଇଥିବା ବେଳେ ଟେମରା ଗ୍ରାମର ସରପଞ୍ଚ କ୍ଷିତିରାମ ପାତ୍ର, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର,ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, ଗୋଦାବରୀଶ ପାତ୍ର, ହେମନ୍ତ ବାଣୁଆ , ଅଶୋକ କୁମାର ଦାସ, ରାଜେନ୍ଦ୍ର ନାଏକ,ଦୁଷ୍ମନ୍ତ କୁମାର ପାତ୍ର,ମିନକେତନ ସାହୁ, ଟୋପେଶ୍ୱର ମାଝୀ, କ୍ଷୀରସିନ୍ଧୁ ହଂସ, ବିଶ୍ୱ ରଞ୍ଜନ ସାହୁ,ପ୍ରମୁଖ ସହଯୋଗ କରିଥିଲେ । ଏହି ମଣ୍ଡେଇ ଯାତ୍ରାରେ ବିଭିନ୍ନ ଗ୍ରାମ ଓ ଅଂଚଳରୁ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ଅବସରରେ କୋକସରା ଥାନା ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ