ଆପାର୍ଟମେଣ୍ଟ କିଣାବିକାକୁ ନେଇ ହଟିଲା କଟକଣା


ଭୁବନେଶ୍ବର: ଆପାର୍ଟମେଣ୍ଟ କିଣାବିକାକୁ ନେଇ ହଟିଲା କଟକଣା। ପ୍ରାୟ ବର୍ଷେ ଧରି ବନ୍ଦ ହୋଇ ରହିଥିଲା ଆପାର୍ଟମେଣ୍ଟ କିଣାବିକା। ଏବେ ପୁଣି କରିପାରିବେ ପଞ୍ଜିକରଣ। ଗେଜେଟରେ ପ୍ରକାଶ ପାଇଛି ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ । ଏହି ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ଅନୁମୋଦନ ମିିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩, ଗତ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିଲା । ତେବେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ ରାଜ୍ୟ ସରକାର । ପରେ ପୁଣି ଏ ନେଇ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା। ଏହି ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଥିଲା । ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ଆଇନ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଗେଜେଟରେ ପ୍ରକାଶ ପାଇଛି ।

ଏହା ଫଳରେ ଆପାର୍ଟମେଣ୍ଟ ରେ ଫ୍ଲାଟ ମାଲିକଙ୍କୁ କମନ ଏରିଆର ମାଲିକାନା ଅଧିକାର ମିଳିବ । ସର୍ବସାଧାରଣଙ୍କ ପାଇଁ ଆପାର୍ଟମେଣ୍ଟରେ ସଂରକ୍ଷିତ ଥିବା ସ୍ଥାନ ଉପରେ ବିଲଡରମାନେ ଅଧିକାର ଜାହିର କରିପାରିବେ ନାହିଁ । ଆପାର୍ଟମେଣ୍ଟ ର କମନ୍ ଏରିଆ ଯଥା-ଷ୍ଟେୟାର୍ କେସ୍, ଖେଳ ପଡିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହୋଇପାରିବ ।