Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ପଞ୍ଚାୟତ ସମିତି ବୈଠକ, ଡାକ୍ତର ସମସ୍ୟା ମୁଖ୍ୟ ପ୍ରସଙ୍ଗ

ବେଲଗୁଣ୍ଠା, 08/07, ବେଲଗୁଣ୍ଠା ପଂଚାୟତ ସମିତିର ଏକ ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ପୌରୋହିତ୍ୟରେ ଦିବା ବାର ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ Iଆଜିର ବୈଠକରେ ମୁଖ୍ୟତଃ ଡାକ୍ତରୀ ସମସ୍ୟାକୁ ନେଇ ଗୃହ ସରଗରମ ହୋଇଥିଲା I ବିଶେଷ କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଶ ଜଣ ଡ଼ାକ୍ତରଙ୍କ ସ୍ଥାନରେ ଜଣେମାତ୍ର ଡ଼ାକ୍ତର ଥିବାରୁ ରୋଗୀ ସେବା ଯୋଗାଇବାରେ ବିଭାଗ ଅସଫଳ ହେଉଥିବା କଥା ପ୍ରକାଶ କରିଥିଲେ I ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭାଗୀୟ ସଚିବଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ଡ଼ାକ୍ତର ସମସ୍ୟା ପୂରଣ ହେବା ଦିଗରେ ପଦକ୍ଷେପ ନିଆଯାଉନାହିଁ I ଏନେଇ ଡ଼ାକ୍ତର ଷଡ଼ଙ୍ଗୀ ମାନ୍ୟବର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଶ୍ରୀ ସ୍ୱାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ସେ ତୁରନ୍ତ ଦୁଇ ଜଣ ଡ଼ାକ୍ତର ଯୋଗାଇଦେବାକୁ ପ୍ରତିଶୃ୍ତି ଦେଇଥିବା କଥା ପ୍ରକାଶ କରିଥିଲେ Iବର୍ତ୍ତମାନ ଗୋବରା ଏବଂ ବେଲଗୁଣ୍ଠା ମେଡିକାଲ୍ ରେଫରାଲ୍ ମେଡିକାଲ୍ ରେ ପରିଣତ ହୋଇଥିବା ବେଳେ ଡ଼ାକ୍ତର ସମସ୍ୟା ଦୂର ନକରାଗଲେ ଆଗାମୀ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଗୋବରା ଗାନ୍ଧୀ ପ୍ରତିମୂର୍ତ୍ତୀ ସମ୍ମୁଖରେ ଲୋକ ପ୍ରତିନିଧିମାନେ ସମର୍ଥକଙ୍କ ସହ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି I ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଏବଂ ଭିତ୍ତିଭୂମିର ଅଭାବ ଥିବା ସହିତ ପାଇଲିପଡ଼ା ପଞ୍ଚାୟତ ଜାଲଖାଇ ବିଦ୍ୟାଳୟରେ ଶିକ୍ଷକ ମାନେ 3:30 ରେ ତାଲା ପକାଇ ଚାଲିଯାଉଥିବା ନେଇ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଅଭିଯୋଗ କରିବା ପରେ ଏହାର ତଦନ୍ତ କରାଯିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶୃ୍ତି ଦେଇଥିଲେ Iବର୍ତ୍ତମାନ ଚାଷୀ ମାନଙ୍କ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବା ବେଳେ ମଣ୍ଡିରେ ଦେବା ପାଇଁ ଯେଉଁ ଚାଷୀମାନେ ଧାନ ଚାଷ କରିଛନ୍ତି ସେମାନେ ପଞ୍ଜୀକରଣ କରିବା ପାଇଁ ଚାଷୀ ମାନଙ୍କୁ ଜଣାଇବା ପାଇଁ ବୈଠକରେ ଯୋଗାଣ ଅଧିକାରୀ ସୁବ୍ରତ ଚୌଧୂରୀ ଅନୁରୋଧ କରିଥିଲେ I ଏହା ସହ କିଛି ସଭ୍ୟଙ୍କ ଉତ୍ତର ଦେଇ ବର୍ତ୍ତମାନ ନୂତନ ରାସନ୍ କlର୍ଡ଼ ହେବାର ଯୋଜନା ନଥିବା ବେଳେ ପରବର୍ତ୍ତୀ ସମୟରେ ଆବେଦନ ପତ୍ର ଗୁଡ଼ିକୁ ଅନୁଧ୍ୟାନ କରି ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ I ବର୍ତ୍ତମାନ ବର୍ଷା ଋତୁ ଆସିଥିବାରୁ ଗୃହପାଳିତ ପଶୁଙ୍କୁ ଫାଟୂଆ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ସେମାନଙ୍କୁ ମାଗଣାରେ ଟୀକାକରଣ କରାଯାଇ ରୋଗ ସଂକ୍ରମଣକୁ ରୋକାଯାଇ ସେମାନଙ୍କୁ ବୀମାଭୁକ୍ତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଲଗୁଣ୍ଠା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କାର୍ତ୍ତିକ ସାହୁ ସୂଚନା ଦେଇଥିଲେ Iଅନ୍ୟପଟେ ଗାଙ୍ଗପୁର ପ୍ରାଣୀଧନ ନିରୀକ୍ଷକ ରହୁନଥିବାରୁ ଗାଈଗୋରୁଙ୍କୁ ଜରୁରୀ ସେବା ମିଳୁନଥିବା ନେଇ ଅଭିଯୋଗ ହୋଇଥିଲା Iସରକାର ଆଠ ପ୍ରକାର ବିହନ ମାଗଣାରେ ଚାଷୀ ମାନଙ୍କୁ ଯୋଗାଇଦେଉଥିବା ବେଳେ ବେଲଗୁଣ୍ଠାରେ ଚାଷୀମାନଙ୍କୁ କାହିଁକି ବିହନ ଦିଆଯାଇ ନାହିଁ ବୋଲି ବିଧାୟକ ଶ୍ରୀ ସ୍ୱାଇଁ କୃଷି ବିଭାଗ ଠାରୁ ସ୍ପଷ୍ଟୀକରଣ ମାଗିବା ସହ ତୁରନ୍ତ ଚାଷୀଙ୍କୁ ମାଗଣା ବିହନ ଯୋଗାଇଦେବା ପାଇଁ ସଂପୃକ୍ତ ବିଭାଗକୁ ତାଗିଦ୍ କରିଥିଲେ Iସମସ୍ତ ପଂଚାୟତରେ ଗୋଟିଏ ଗୋଟିଏ ଅମୃତ ସରୋବର ନିର୍ମାଣ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ବିଡ଼ିଓ ରୋଶନ୍ ଶତପଥୀ ପ୍ରକାଶ କରିବା ସହ ବେଲଗୁଣ୍ଠା ବ୍ଳକ୍ ରେ ରୁରାଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିର୍ମାଣ ପାଇଁ ତହସିଲାରଙ୍କୁ ତିନି ରୁ ଦଶ ଏକର ସରକାରୀ ଜାଗା ଚିହ୍ନଟ କରି ଯୋଗାଇଦେବା ପାଇଁ ସେ ଅନୁରୋଧ କରିଥିଲେ I ଏହା ସହିତ ପ୍ରତ୍ଯେକ ପଂଚାୟତରେ ବ୍ୟାଙ୍କ୍ ଖୋଲିବା ନେଇ ସରକାରୀ ନିୟମ ଥିବାବେଳେ ବର୍ତ୍ତମାନ ବେଲଗୁଣ୍ଠା ବ୍ଳକ୍ ର ନଅଟି ପଂଚାୟତରେ ବ୍ୟାଙ୍କ ଥିବାବେଳେ ସାତୋଟି ପଂଚାୟତରେ ବ୍ୟାଙ୍କ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କଥା ସେ ପ୍ରକାଶ କରିଥିଲେ Iବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହି ନ ଥିବାରୁ ଏହି ଯୋଗ୍ୟ ହିତାଧୀକାରୀଙ୍କ ନାମ ତାଲିକାରୁ କିପରି କଟିଲା ସେ ବିଷୟରେ ତଦନ୍ତ କରିବାକୁ ବହୁ ଜନ ପ୍ରତିନିଧି ଆପତ୍ତି ଉଠାଇଥିଲେ Iଅଙ୍ଗନୱାଡ଼ି ନିଯୁକ୍ତିରେ ଅନିୟମିତା ହୋଇଥିବା ନେଇ ଗୋବରା ସମିତିସଭ୍ୟ ଅଭିଯୋଗ ଆଣିଥିଲେ Iବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତର ପାନୀୟ ଜଳ ସମସ୍ୟା ନେଇ ଜନପ୍ରତିନିଧିମାନେ ଅଭିଯୋଗ ଆଣିଥିଲେ I ବିଶେଷ କରି କ୍ଷତ୍ରିୟବରପୁର ପଂଚାୟତର ସିଂହମର୍ଦ୍ଦନ ଗ୍ରାମରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିବା ବେଳେ ଗ୍ରାମର ଲୋକେ ନାଳର ଦୂଷିତ ଜଳ ପିଇ ରୋଗାକ୍ରାନ୍ତ ହେଉଥିବାରୁ ଏହାର ତୁରନ୍ତ ପ୍ରତିକାର ପାଇଁ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ ଦୃଷ୍ଟି ଆକର୍ଷଣ କରିଥିଲେ Iବିଭିନ୍ନ ଭତ୍ତା ଟଙ୍କା ଚାରିମାସ ହେବ ବହୁ ହିତାଧିକାରୀଙ୍କୁ ମିଳିନଥିବା ବେଳେ କିଛି ଟଙ୍କା ହିତାଧିକାରୀଙ୍କ ବଦଳରେ ଅନ୍ୟ ଖାତାକୁ ଯାଉଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ନିର୍ଦ୍ଦେଶ ଦେଇଥିଲେ Iଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ,ଆରଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ସୁଜିତ୍ ପାତ୍ର,ସିଡିପିଓ ଦାୟିତ୍ୱରେ ଥିବା ବିଷ୍ଣୁପ୍ରିୟା ସେଠୀ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ଉଦ୍ୟାନ ବିଭାଗ କର୍ମଚାରୀ ଅଙ୍କିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁପ୍ରଭା ଗୌଡ଼, ସତ୍ୟବାନ ସ୍ୱାଇଁ, ସମିତିସଭ୍ୟ ସୁଧାଂଶୁ ପୋଲେଇ, ରାଜୀବ୍ ଲୋଚନ ନାୟକ, ମମତା ଭୋଳ, ପିନାକୀନି ବିଷୋୟୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories