କୁଆଖାଇରୁ ମିଳିଲା ୨ ନିଖୋଜ ଯୁବକଙ୍କ ମୃତଦେହ, ଚାଲିଗଲା ୪ ଛାତ୍ରଙ୍କ ଜୀବନ


ଭୁବନେଶ୍ଵର: ଭୁବନେଶ୍ଵର ଉପକଣ୍ଠ କୁଆଖାଇ ନଦୀରେ ବୁଡି ୪ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମଙ୍ଗଳବାର ଦୁଇ ଜଣଙ୍କ ମୃତଦେହ ମିଳିଥିବା ହୋଇଥିବା ବେଳେ ବୁଧବାର ସକାଳୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ଉଦ୍ଧାର ହୋଇଥିବା ଦୁଇ ମୃକ ହେଲେ କଟକ ମାଲଗୋଦାମ ଅଞ୍ଚଳର ପ୍ରତୀକ ଓ ବାଲେଶ୍ଵରର ରୋହିତ ଧଳ ସାମନ୍ତ। ଗତକାଲି ଉଦ୍ଧାର ହୋଇଥିବା ଦୁଇ ମୃତକ ହେଉଛନ୍ତି କଟକ ଯୋବ୍ରାର କୁମାର ଅବିନାଶ ଏବଂ ଜାମସେଦପୁରର ଆରିଆନ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଧବଳାହାର ନିକଟ କୁଆଖାଇ ନଦୀକୁ ଏକ ଘରୋଇ କଲେଜର ୯ ଛାତ୍ର ଯୁବକ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ୨ ଜଣ ନଦୀର ଗଭୀର ଗଣ୍ଡରେ ବୁଡ଼ିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଛାତ୍ର ନଦୀ ଭିତରକୁ ଡେଇଁଥିଲେ। ହେଲେ ସମସ୍ତେ ନଦୀରେ ବୁଡ଼ି ଯାଇଥିଲେ । ଜଣେ ଯୁବକ ନଦୀରୁ ନିଜ ଜୀବନ ବଞ୍ଚାଇ ଫେରି ଆସିବାରେ ସକ୍ଷମ ହୋଇଥିଲେ। ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

କୁଆଖାଇ ନଦୀରେ ବୁଡ଼ି ମୃତ୍ୟୁ ଘଟଣା ସଂପ୍ରତି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣିୱ। ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ୨୭ ଜଣଙ୍କର ମୃତ୍ୟୁ ଘଟି ସାରିଛି। ମୃତକ ମଧ୍ୟରେ ଅଧିକାଂଶ ଛାତ୍ର ଏବଂ ନାବାଳକ । ନଦୀରେ କୌଣସି ସୂଚନା ଫଳକ ନଥିବାରୁ ପାଣିର ଗଭୀରତା ଜଣାପଡୁନି । ଏଣେ ବେଆଇନ ବାଲି ଖନନ ଯୋଗୁ ନଦୀ ଗର୍ଭରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବାଲିଘାଟରୁ ପ୍ରତିଦିନ ଡଙ୍ଗା ଏବଂ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ବାଲି ଚାଲାଣ ହେଉଛି । ଫଳରେ ନଦୀରେ ଗଣ୍ଡ ସୃଷ୍ଟି ହୋଇଛି । ଯାହା ଫଳରେ ଲୋକଙ୍କ ପ୍ରାଣହାନୀ ଘଟୁଛି।