Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ, ରଥଯାତ୍ରା ବିଶୃଙ୍ଖଳାର ହେବ ସମୀକ୍ଷା

ପୁରୀ: ଚଳିତ ବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନାରେ ଏମିତି ତ୍ରୁଟି ହେଲା ଯେ, ଗତ ୨ ଦଶନ୍ଧିରେ ଏମିତି ଅସ୍ଵାଭାବିକ ସ୍ଥିତି ଦେଖିବାକୁ ମିଳି ନ ଥିଲା। ତ୍ରୁଟିର ସମୀକ୍ଷା ପାଇଁ ଆସନ୍ତା ଜୁଲାଇ ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ଚିଠି କରି ଅବଗତ କରାଯାଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ସଭାଗୃହରେ ଜୁଲାଇ ୨୭ ତାରିଖ ପୂର୍ବାହ୍ଣ ୧୧ଟାରେ ଏହି ବୈଠକ ବସିବ। ଏଥିରେ ଚଳିତବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳାର ବିସ୍ତୃତ ସମୀକ୍ଷା କରାଯିବ। ତେବେ ରଥ ଉପରକୁ ଅଣ ସେବାତୟ କେମିତି ଚଢିଲେ ତା ଉପରେ ଆଲୋଚନା ହେବ କି ନାହିଁ ତାହା ଜଣା ପଡିନାହିଁ। ଚଳିତ ବର୍ଷ ରଥ ଯାତ୍ରାରେ ଦୁଇ ଦିନ ବିଳମ୍ବରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ଯାହା ପ୍ରଶାସନର ପରିଚାଳନାକୁ ପଦାରେ ପକାଇଥିଲା।

ଏଥିସହ ଚଳିତବର୍ଷ ମେ’ ୨୯ ତାରିଖ ଓ ଜୁନ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବିବରଣୀ ଦୃଢ଼ୀକରଣ, ଗତବର୍ଷ ସେପ୍ଟେମ୍ବର ୨୭ ଓ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ବିବରଣୀର ଏବଂ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଆଲୋଚନା ହେବ। ଗତ ଜାନୁଆରି ୧୭ ତାରଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ ସବ୍‌କମିଟି ବିବରଣୀ ଅନୁମୋଦନ ହେବ। ସଭାପତିଙ୍କ ଅନୁମତିକ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବାକୁ ସ୍ଥିର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ